Categories: ଖେଳ

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ,୨୦ା୩: ଓ୍ବେଲିଂଟନରେ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଇନିଂସ ସହ ୫୮ ରନ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୪୧୬ ରନ୍‌ ପଛରେ ରହିଥିବା ଶ୍ରୀଲଙ୍କା ଫଲୋଅନ୍‌ ପରେ ୩୫୮ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ପ୍ରଥମ ଟେଷ୍ଟ ଜିତିଥିବା ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି।

ତୃତୀୟ ଦିନର ଅସମାପ୍ତ ସ୍କୋର ୧୧୩/୨ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ମାତ୍ର ୩ ରନ୍‌ ବ୍ୟବଧାନରେ ପୂର୍ବ ଦିନର ଦୁଇ ଅପରାଜିତ ବ୍ୟାଟରଙ୍କ ଉଇକେଟ ହରାଇଥିଲା। ଦୀନେଶ ଚାଣ୍ଡିମାଲ(୬୨) ଓ ଧନଞ୍ଜୟ ଡି ସିଲ୍‌ଭା(୯୮) ପଞ୍ଚମ ଉଇକେଟରେ ୧୨୬ ରନ୍‌ ଯୋଡିଥିଲେ।
ଲଞ୍ଚର ପୂର୍ବରୁ ଚାଣ୍ଡିମାଲ ଆଉଟ ହେବା ସହିତ ଶ୍ରୀଲଙ୍କା ହାତ ଟେକି ଦେଇଥିଲା। ଉଇକେଟ କିପର ନିଶାନ୍‌ ମଦୁଷ୍କା(୩୯)ଙ୍କ ସହିତ ୭୬ ରନ୍‌ ଯୋଡିଥିଲେ ଡି ସିଲ୍‌ଭା। ଉଭୟ ଖେଳାଳି ମାତ୍ର ୫ ବଲ୍‌ ବ୍ୟବଧାନରେ ଆଉଟ ହେବା ସହିତ ଶ୍ରୀଲଙ୍କାର ସଂଘର୍ଷ ଶେଷ ହୋଇଥିଲା। ୧୪୨ ଓଭର ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୩୫୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ନ୍ୟୁଜିଲାଣ୍ଡର ଟିମ୍‌ ସାଉଦି ଓ ବ୍ଲେୟାର ଟିକ୍‌ନର ୩ଟି ଲେଖାଏ ଉଇକେଟ ନେଇଥିଲେ।

ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪ ଉଇକେଟରେ ୫୮୦ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୧୬୪ ରନରେ ଅଲଆଉଟ ହୋଇ ଫଲୋଅନ୍‌ ଡାକରା ପାଇଥିଲା। ହେନ୍‌ରୀ ନିକୋଲ୍ସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ କେନ୍‌ ଓ୍ବିଲିୟମସନଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଥିଲା।

Share