Categories: ଖେଳ

୫ ସ୍ପିନରଙ୍କ ସହ ଭାରତ ଗସ୍ତ କରିବ ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୫।୧୧: ଆସନ୍ତା ୨୫ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ଲାଗି ଶୁକ୍ରବାର ଘୋଷିତ ହୋଇଥିବା ୧୫ ଜଣିଆ ନ୍ୟୁଜିଲାଣ୍ଡ ଦଳରେ ସ୍ଥାନ ପାଇଛନ୍ତି ୫ ସ୍ପିନର। ଏଜାଜ ପଟେଲ, ଓ୍ବିଲ ସମରଭିଲ ଓ ମିଚେଲ ସାଣ୍ଟନରଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ସହିତ ରଚିନ ରବୀନ୍ଦ୍ର ଓ ଗ୍ଲେନ ଫିଲେପ୍ସ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ପରିବେଶ ଧିମା ବୋଲରଙ୍କୁ ସୁହାଉଥିବାରୁ ଅତିରିକ୍ତ ସ୍ପିନରଙ୍କୁ ଦଳରେ ଯାଗା ଦେଇଛି ନ୍ୟୁଜିଲାଣ୍ଡ।

ତେବେ ଏହି ସିରିଜ୍‌ରୁ ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଟ ଓ ଅଲରାଉଣ୍ଡର କଲିନ ଡେ ଗ୍ରାଣ୍ଡହୋମ ଓହରି ଯାଇଛନ୍ତି। ବାୟୋ-ବବଲ ଜନିତ କ୍ଳାନ୍ତି କାରଣରୁ ଦୁହେଁ ଏଭଳି ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ନ୍ୟୁଜିଲାଣ୍ଡ ପ୍ରଥମେ ଭାରତ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ। ତା’ ପରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଚଳିତ ମାସ ୨୫ରୁ କାନପୁରଠାରେ ପ୍ରଥମ ଓ ଡିସେମ୍ବର ୩ରୁ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବାର ଅଛି।

Share