Categories: ଖେଳ

ନ୍ୟୁଜିଲାଣ୍ଡ ପାଖରେ ପ୍ରତିଶୋଧ ନେବାର ସୁଯୋଗ

ଦୁବାଇ,୧୩।୧୧: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପାଖାପାଖି ମାସେଧରି ଚାଲି ଆସିଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଦୁଇ ପଡୋଶୀ ଦେଶ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏହି ଫାଇନାଲ ମୁକାବିଲାରେ ପରସ୍ପରକୁ ଭେଟିବେ। ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଓ କେନ୍‌ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ ଟି୨୦ ବିଶ୍ୱକପ୍‌ର ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛି। ଅର୍ଥାତ୍‌ ଏଥର ଟି୨୦ ବିଶ୍ୱକପ୍‌ରେ ଏକ ନୂଆ ଚାମ୍ପିୟନକୁ ଦେଖିବାକୁ ମିଳିବା ନିଶ୍ଚିତ ହୋଇଛି। ଦୁଇଟି ଯାକ ସେମିଫାଇନାଲରେ ଏହି ଦୁଇ ଦେଶ ନାଟକୀୟ ଢଙ୍ଗରେ ବିଜୟ ହାସଲ କରି ସେମିକୁ ଉଠିଛନ୍ତି। ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ଇଂଲଣ୍ଡକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ସମାନ ଢଙ୍ଗରେ ପରାସ୍ତ କରିଥିଲା। ଏବେ ଫାଇନାଲରେ ଆଉ ଏକ ସଂଘର୍ଷପୂର୍ଣ୍ଣ ନାଟକୀୟ ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଦିନିକିଆ ବିଶ୍ୱକପ୍‌ରେ ରେକର୍ଡ ୫ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଅଷ୍ଟ୍ରେଲିଆ କିନ୍ତୁ ଟି୨୦ ବିଶ୍ୱକପ୍‌ରେ ଟାଇଟଲ ହାସଲ କରିବାରେ ବିଫଳ ହୋଇଛି। ଅନ୍ୟପଟେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଇଭେଣ୍ଟଗୁଡିକରେ ନ୍ୟୁଜିଲାଣ୍ଡ କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ଏହି ଫର୍ମାଟ୍‌ରେ କେବେ ବି ଟାଇଟଲ ହାସଲ କରିପାରି ନାହିଁ। କିନ୍ତୁ ଏଥର ଓ୍ବିଲିୟମସନଙ୍କ ବଳିଷ୍ଠ ନେତୃତ୍ୱରେ ଦଳ କିଛି କରି ଦେଖାଇବାରେ କ୍ଷମତା ରଖୁଛି। ପ୍ରଥମଥର ପାଇଁ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ୍‌ର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ସଫଳ ହେଲେ ୫୦ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ନ୍ୟୁଜିଲାଣ୍ଡ ପାଇଁ ଏହା ଐତିହାସିକ ସାବ୍ୟସ୍ତ ହେବ। କିଛି ଦିନ ତଳେ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତକୁ ଫାଇନାଲରେ ହରାଇ ପ୍ରଥମଥର ପାଇଁ କୌଣସି ଆଇସିସି ଇଭେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।

ଟି୨୦ ଫର୍ମାଟ୍‌ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡଠାରୁ ଦୁଇପାଦ ଆଗରେ ଥିବା ପରି ମନେ ହେଉଛି। ତେବେ ୨୦୧୬ ବିଶ୍ୱକପ୍‌ରେ ଦୁଇ ଦେଶ ପରସ୍ପରକୁ ଥରେମାତ୍ର ଭେଟିବାର ସୁଯୋଗ ପାଇଥିଲେ ଓ ଏଥିରେ ନ୍ୟୁଜିଲାଣ୍ଡ ବାଜି ମାରିଥିଲା। ସେହିପରି ୨୦୧୫ ଦିନିକିଆ ବିଶ୍ୱକପ୍‌ରେ ଦୁଇ ଦେଶ ଶେଷ ଥର ପାଇଁ ଫାଇନାଲ ମୁକାବିଲାରେ ପରସ୍ପରକୁ ଭେଟିଥିଲେ। ଏଥିରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ପଞ୍ଚମଥର ପାଇଁ ବିଶ୍ୱକପ୍‌ ଟ୍ରଫି ହାସଲ କରିଥିଲା। ଏହା ପରଠାରୁ ଅବଶ୍ୟ ଅଷ୍ଟ୍ରେଲିଆ କୌଣସି ଆଇସିସି ଇଭେଣ୍ଟରେ ଟାଇଟଲ ହାସଲ କରିପାରି ନାହିଁ।

Share