Categories: Home Leftଖେଳ

W, W, W, W, W… ଲଗାତାର ୫ ଉଇକେଟ୍‌ ନେବା ପରେ ଖୋଲିଲା ଭାଗ୍ୟ, ଭାରତ ବିପକ୍ଷ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୧୨।୧୧: ଗୁରୁବାର (୧୨ ନଭେମ୍ବର) ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଉଭୟ ମ୍ୟାଚ ପାଇଁ ଅଲଗା ଅଲଗା ଦଳ ଚୟନ କରାଯାଇଛି। ଏହି ଦଳରେ ୩୧ ବର୍ଷୀୟ ଅନକ୍ୟ୍ୟାପଡ ଦ୍ରୁତ ବୋଲର ବ୍ରେଟ ରାଣ୍ଡେଲଙ୍କୁ ସାମିଲ କରାଯାଇଛି। ରାଣ୍ଡେଲ ଉଭୟ ଦିନିକିଆ ମ୍ୟାଚରେ କିୱି ଦଳର ଅଂଶ ରହିବେ। ଚଳିତ ବର୍ଷ ୫ଟି ବଲରେ ଲଗାତାର ୫ଟି ଉଇକେଟ୍‌ ନେବାର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ମାର୍ଚ୍ଚ ମାସରେ ନେପିୟରଠାରେ ନର୍ଦର୍ଣ୍ଣ ଡିଷ୍ଟ୍ରିକ୍ଟସ ବିପକ୍ଷ ପ୍ଲଙ୍କେଟ ସିଲ୍ଡ ମ୍ୟାଚ୍ର ଦ୍ୱିତୀୟ ଦିନରେ ସେ ଏହି ଐତିହାସିକ କାରନାମା କରିଥିଲେ।

ବ୍ରେଟ ରାଣ୍ଡେଲ ଏପର୍ଯ୍ୟନ୍ତ ନିଜ କ୍ୟାରିୟରରେ ୪୬ଟି ପ୍ରଥମ ଶ୍ରେଣୀ, ୫୫ଟି ଲିଷ୍ଟ-ଏ ଏବଂ ୪୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୮୪ଟି ପାଳିରେ ବୋଲିଂ କରି ସେ ୧୩୬ଟି ଉଇକେଟ୍‌ ନେଇଛନ୍ତି। ଏଥିରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୮/୧୦୮ ରହିଛି। ସେହିପରି ଲିଷ୍ଟ-ଏ କ୍ରିକେଟରେ ୫୪ଟି ପାଳିରେ ସେ ୧୦୦ଟି ଉଇକେଟ୍‌ ନେଇଛନ୍ତି। ଅନ୍ୟପକ୍ଷରେ ଟି-୨୦ କ୍ରିକେଟରେ ୪୪ଟି ପାଳିରେ ତାଙ୍କ ନାମରେ ୪୮ଟି ଉଇକେଟ୍‌ ରହିଛି।

Dharitri – Odisha’s No.1 Odia Daily

Share