Categories: Home Leftଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ: ୩ ଦ୍ରୁତ ଖେଳାଳିଙ୍କୁ ମିଳିଲା ସ୍ଥାନ, ଚିନ୍ତାରେ ପଡିଲାଣି ଭାରତ

ନୂଆଦିଲ୍ଲୀ, ୧୧।୧୧: ଭାରତ ବିପକ୍ଷରେ ହେବାକୁ ଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୪ ଜଣିଆ ଦଳ ଘୋଷଣା କରିଛି। ଟମ ଲାଥମଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ନଭେମ୍ବର ୧୯ ତାରିଖରୁ ଏହି ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯିବ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଘରୋଇ ଦଳ ନିଜ ସ୍କୱାଡରେ ୩ ଜଣ ଆହତ ଖେଳାଳିଙ୍କୁ ମଧ୍ୟ ସ୍ଥାନ ଦେଇଛି।

ଆହତ ଖେଳାଳିଙ୍କ ମଧ୍ୟରେ ଟମ ବ୍ଲଣ୍ଡେଲ, ଡେଭନ କନୱେ ଏବଂ ରଚିନ ରବୀନ୍ଦ୍ର ସାମିଲ ଅଛନ୍ତି। ବ୍ଲଣ୍ଡେଲ କ୍ୱାଡ୍ରିସେପ୍ସ ଇଞ୍ଜୁରୀରେ ପୀଡ଼ିତ ଥିଲେ। ଦିନିକିଆ ସିରିଜ ପାଇଁ ଅଭ୍ୟାସ କରୁଥିବା ସମୟରେ କନୱେଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଫଳରେ କନକସନ କାରଣରୁ ସେ ଦିନିକିଆ ସିରିଜରୁ ବାଦ ପଡ଼ିଥିଲେ। ସେହିପରି ରଚିନ ରବୀନ୍ଦ୍ର କାନ୍ଧ ଜନିତ ଆଘାତରେ ପୀଡ଼ିତ ଥିଲେ।

ଏହା ପୂର୍ବରୁ ୨୦୨୪ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଇଥିଲା। ଭାରତୀୟ ମାଟିରେ ଖେଳାଯାଇଥିବା ଏହି ସିରିଜକୁ ନ୍ୟୁଜିଲାଣ୍ଡ ୩-୦ରେ ଜିତିଥିଲା। ଏବେ ନ୍ୟୁଜିଲାଣ୍ଡ ମାଟିରେ ହେବାକୁ ଥିବା ଏହି ଟେଷ୍ଟ ସିରିଜ ଉପରେ ସମସ୍ତଙ୍କ ନଜର ରହିବ।

ଉଲ୍ଲେଖଯୋଗ୍ୟ, ନ୍ୟୁଜିଲାଣ୍ଡ ବର୍ତ୍ତମାନ ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ ୨୦୨୫-୨୭ ଚକ୍ରର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଇଂଲଣ୍ଡ ବିପକ୍ଷରେ ନିଜ ଘରୋଇ ମାଟିରେ ଖେଳିଥିବା ଦଳର ସଦସ୍ୟମାନଙ୍କ ସହ ପ୍ରାୟ ସମାନ ଟିମ ଚୟନ କରାଯାଇଛି। ଦ୍ରୁତ ବୋଲର ଜ୍ୟାକବ ଡଫି ଦଳକୁ ଫେରିଛନ୍ତି। ଅନ୍ୟପଟେ ଗୋଡ଼ର ଗୋଇଠି ଆଘାତ କାରଣରୁ ବେନ ସିୟର୍ସ, ନିତମ୍ବ ଆଘାତ କାରଣରୁ ଜ୍ୟାକ ଫଲକ୍ସ ଏବଂ ୱିଲ ଓ’ରୁର୍କେ ଦଳରେ ସ୍ଥାନ ପାଇନାହାନ୍ତି।

ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ:

ଟମ ଲାଥମ (ଅଧିନାୟକ), ଟମ ବ୍ଲଣ୍ଡେଲ, ଡେଭନ କନୱେ, ଜ୍ୟାକବ ଡଫି, ମ୍ୟାଟ ହେନରୀ, କାଇଲ ଜେମିସନ, ଡାରିଲ ମିଚେଲ, ହେନରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର୍‌, ନାଥନ ସ୍ମିଥ, ବ୍ଲେୟାର ଟିକନର୍‌ ଏବଂ ୱିଲ ୟଙ୍ଗ।

Dharitri – Odisha’s No.1 Odia Daily

Share