ନୂଆଦିଲ୍ଲୀ, ୧୨।୧୧: ଭାରତ ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ (ଚତୁର୍ଥ ଓ ପଞ୍ଚମ) ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଦଳ ଘୋଷଣା କରିଛି। ୩୧ ବର୍ଷୀୟ ଅନକ୍ୟାପଡ଼ ଦ୍ରୁତ ବୋଲର ବ୍ରେଟ ରାଣ୍ଡେଲଙ୍କୁ ଦଳରେ ସୁଯୋଗ ମିଳିଛି। ଏହା ପ୍ରଥମ ଥର ପାଇଁ ସେ ନ୍ୟୁଜିଲାଣ୍ଡର ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ଅଲରାଉଣ୍ଡର ଜୋଶ କ୍ଲାର୍କସନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।
ବ୍ରେଟ ରାଣ୍ଡେଲ ଉଭୟ ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଥିବା ବେଳେ ଜୋଶ କ୍ଲାର୍କସନ କେବଳ ପଞ୍ଚମ ମ୍ୟାଚ ପାଇଁ ଦଳରେ ରହିଛନ୍ତି। ଡାହାଣହାତୀ ବୋଲର ବ୍ରେଟଙ୍କ ନାମରେ ୧୪୫ଟି ପ୍ରଫେସନାଲ ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି। ଏଥିରେ ନ୍ୟୁଜିଲାଣ୍ଡ ‘ଏ’ ଦଳ ପାଇଁ ଖେଳିଥିବା ୫ଟି ମ୍ୟାଚ ମଧ୍ୟ ସାମିଲ ଅଛି।
ଦଳ ଚୟନକୁ ନେଇ ମୁଖ୍ୟ କୋଚ ରବ ୱାଲ୍ଟର କହିଛନ୍ତି, କୌଣସି ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଦଳରୁ ଡାକରା ମିଳିବା ସବୁବେଳେ ଏକ ସ୍ବତନ୍ତ୍ର ମୁହୂର୍ତ୍ତ ହୋଇଥାଏ। ବ୍ରେଟଙ୍କ ପାଇଁ ଆମେ ବହୁତ ଖୁସି। ସେ ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ୍ରେ ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି। ନିଜର କଠିନ ପରିଶ୍ରମ ବଳରେ ସେ ଏହି ସୁଯୋଗ ହାସଲ କରିଛନ୍ତି।
ଚତୁର୍ଥ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ:
ମିଚେଲ ସାଣ୍ଟନର (ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, କ୍ରିଷ୍ଟିଆନ କ୍ଲାର୍କ, ଜାକବ ଡଫି, ମ୍ୟାଟ ଫିସର, ଡିନ ଫକ୍ସକ୍ରଫ୍ଟ, ମିଚ ହେ (ଉଇକେଟକିପର), ମ୍ୟାଟ ହେନରୀ, କାଇଲ ଜାମିସନ, ନିକ କେଲି, ବ୍ରେଟ ରାଣ୍ଡେଲ, ଟିମ ସାଇଫର୍ଟ (ଉଇକେଟକିପର) ଏବଂ ୱିଲ ୟଙ୍ଗ।
ପଞ୍ଚମ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ:
ମିଚେଲ ସାଣ୍ଟନର (ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, କ୍ରିଷ୍ଟିଆନ କ୍ଲାର୍କ, ଜୋଶ କ୍ଲାର୍କସନ, ଜାକବ ଡଫି, ମ୍ୟାଟ ଫିସର, ଡିନ ଫକ୍ସକ୍ରଫ୍ଟ, ମିଚ ହେ (ଉଇକେଟକିପର), ନିକ କେଲି, ବ୍ରେଟ ରାଣ୍ଡେଲ, ଟିମ ସାଇଫର୍ଟ (ଉଇକେଟକିପର), ବ୍ଲେୟାର ଟିକନର ଏବଂ ୱିଲ ୟଙ୍ଗ।