Categories: ଖେଳ

୩୩ ବର୍ଷର ଧାରା ଭାଙ୍ଗିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ

କାନପୁର,୨୪।୧୧: ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଗଦା ହାତେଇଥିବା ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଆଧିପତ୍ୟ ବିସ୍ତାର କରିଛି। କିନ୍ତୁ ଦୀର୍ଘ ୩୩ ବର୍ଷ ହେଲା ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇନାହିଁ ଏହି ଦଳ। ୩୩ ବର୍ଷର ଲମ୍ବା ଧାରାକୁ ଭାଙ୍ଗିବା ଲକ୍ଷ୍ୟରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆକୁ ଭେଟିବାକୁ ଯାଉଛି।

ଭାରତରେ ଅନ୍ତିମ ଥର ୧୯୮୮-୮୯ରେ ଭାରତରେ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଜିତିଥିଲା ନ୍ୟୁଜିଲାଣ୍ଡ। ସେତେବେଳେ ରାଜିବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ବର୍ତ୍ତମାନ ଭାରତୀୟ ଦଳରେ ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଇଶାନ୍ତ ଶର୍ମା ଓ ବିରାଟ କୋହଲିଙ୍କୁ ସେତେବେମାତ୍ର କିଛି ମାସ ହୋଇଥିଲା। ଆଉ ଦେଶରେ ଲିଟର ପିଛା ପେଟ୍ରୋଲ ଦର ଥିଲା ୮ ଟଙ୍କା।

ଭାରତୀୟ ଦଳର ପୂର୍ବତନ କୋଚ୍‌ ଜନ ରାଇଟ୍‌ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌୍‌ରେ ଭାରତକୁ ୧୩୬ ରନ୍‌ରେ ହରାଇଥିଲା। ଏହା ଥିଲା ଭାରତରେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ବିଜୟ। ଏଥିପୂର୍ବରୁ ୧୯୬୯ରେ ନାଗପୁରରେ ଭାରତକୁ ଭାରତରେ ପ୍ରଥମ ଥର ହରାଇଥିଲା ନ୍ୟୁଜିଲାଣ୍ଡ।

ମୋଟ ଉପରେ ନ୍ୟୁଜିଲାଣ୍ଡ ଭାରତରେ ୩୪ ଟେଷ୍ଟ ଖେଳିଛି। ସେଥିରୁ ଦଳକୁ ୧୬ଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ୍‌ରେ ଫଳାଫଳ ବାହାରି ପାରି ନ ଥିଲା। ଭାରତରେ ସେମାନଙ୍କ ବିଜୟ ହାର ମାତ୍ର ୦.୧୨୫। ଏହା କେବଳ ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେଠାରୁ ଭଲ। ଏହି ଦୁଇ ଦଳ ଭାରତରେ କଦାପି ଟେଷ୍ଟ ମ୍ୟାଚ୍‌ ଜିତି ନାହାନ୍ତି। ଅନ୍ତିମ ଦଶନ୍ଧିରେ ଭାରତରେ ନ୍ୟୁଜିଲାଣ୍ଡ ୧୧ ଟେଷ୍ଟ ଖେଳିଥିବା ବେଳେ କେବଳ ୨ ମ୍ୟାଚ୍‌କୁ ଡ୍ର ରଖିବାରେ ସକ୍ଷମ ହୋଇଛି। କେବଳ ଭାରତରେ ନୁହେଁ, ବରଂ ଏସିଆନ ଦେଶରେ ନ୍ୟୁଜିଲାଣ୍ଡର ରେକର୍ଡ ବିଲକୁଲ ଭଲ ନାହିଁ। ୧୯୫୫ ଠାରୁ ଏସିଆରେ ୮୪ ଟେଷ୍ଟ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୧୫ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିବା ବେଳେ ୩୮ ମ୍ୟାଚ୍‌ରେ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଛି। ଏଭଳି ରେକର୍ଡ ଦର୍ଶାଉଛି ନ୍ୟୁଜିଲାଣ୍ଡ ଏସିଆରେ ସଂଘର୍ଷ କରେ।

Share