ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍ ସମେତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା।
ସୂଚନା ଅନୁଯାୟୀ, ଧରମପୁର ନିକଟରେ ପୂର୍ବାହ୍ନ ପ୍ରାୟ ୧୧.୩୦ଟା ସମୟରେ ଲଗାଣ ବର୍ଷା ଯୋଗୁ ଗଛର ମୂଳ ପାଖର ମାଟି ଧୋଇ ଯାଇଥିଲା। ଫଳରେ ଗଛଟି ଉପୁଡ଼ି ରାସ୍ତା ଉପରେ ପଡ଼ିଯାଇଥିଲା। ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଯାନବାହନ ଅଟକି ରହିଥିଲା ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ରାଇକିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କଟର ମେସିନ୍ ସାହାଯ୍ୟରେ ଗଛକୁ କାଟି ରାସ୍ତାରୁ ହଟାଇଥିଲେ। ପରେ ରାସ୍ତା ସଫା କରାଯିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାଇକିଆ–କ. ନୂଆଗାଁ ରାସ୍ତା କଡ଼ରେ ଅନେକ ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ଗଛ ଓ ଶୁଖିଲା ଡାଳ ରହିଛି। ସମୟମତେ ସେଗୁଡ଼ିକର ଛଟେଇ କିମ୍ବା ଅପସାରଣ କରାଯାଉ ନ ଥିବାରୁ ବର୍ଷା ଓ ପବନ ସମୟରେ ଏଭଳି ଘଟଣା ବାରମ୍ବାର ଘଟୁଛି। ତେଣୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପ୍ରଶାସନ ତୁରନ୍ତ ବିପଦଜନକ ଗଛଗୁଡ଼ିକୁ ଚିହ୍ନଟ କରି ଅପସାରଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।