ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ଗବେଷକ ଶ୍ରୀରାଜ ନାହାକ, ଗୀତାଞ୍ଜଳି ଭୋଇ ଓ ସୁମନ ପାତ୍ର ଗବେଷଣା ପାଇଁ ଆର୍ଯ୍ୟପଲ୍ଲୀ ସମୁଦ୍ର ବେଳାଭୂମିକୁ ଯାଇଥିବା ବେଳେ ସେଠାରୁ ଏହି ପ୍ରଜାତିର ଆମ୍ଫିପୋଡକୁ ଏକ ପଥୁରିଆ ଅଞ୍ଚଳରୁ ପାଇଥିଲେ। ଏହାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପରୀକ୍ଷାଗାରକୁ ଆଣି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ବିଭାଗର ପରୀକ୍ଷାଗାରର ମୁଖ୍ୟ ସହକାରୀ ପ୍ରାଧ୍ୟାପକ ଶେଷଦେବ ପାତ୍ର ନିରୀକ୍ଷକ ଭାବେ ରହିଥିଲେ। ପୂର୍ବରୁ ଏହି ପ୍ରଜାତିର ଆମ୍ଫିପୋଡ ମାଲେସିଆରୁ ଚିହ୍ନଟ ହୋଇଥିବା ବେଳେ ଏହାର ନାମକରଣ ଷ୍ଟିନୋଥୋଇ ଲୋରି ରହିଥିଲା। ବର୍ତ୍ତମାନ ଭାରତୀୟ ଉପକୂଳରେ ଏହା ପ୍ରଥମ ଥର ଚିହ୍ନଟ ହୋଇଥିବାରୁ ନାମକରଣ ଷ୍ଟିନୋଥୋଇ ଲୋରି ରହିଛି। ଏହି ପ୍ରଜାତିମାନେ ପଥରିଆ ସ୍ଥାନ ଏବଂ ଉଭୟ ଜଳ ଓ ସ୍ଥଳରେ ସନ୍ତସନ୍ତିଆ ସ୍ଥାନରେ ରହିଥାନ୍ତି। ଏମାନେ ଶିଉଳି, ପଚି ଯାଇଥିବା ଜିନିଷକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ଛୋଟ ମାଛ, କଙ୍କଡା, ପକ୍ଷୀ ଓ ସାମୁଦ୍ରିକ ପ୍ରାଣୀ ଏମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପତ୍ରିକା ଜୋନାଲ ଅଫ ଦ ମେରାଇନ ବାୟୋଲୋଜି ଆସୋସିଏଶନରେ ଏହା ପ୍ରକାଶିତ ହୋଇଛ। ଏନେଇ ସହକାରୀ ପ୍ରାଧ୍ୟାପକ ଶେଷଦେବ ପାତ୍ର କହିଛନ୍ତି, ଗବେଷଣା ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଇନୋଭେଶନ ଏକ୍ସଟ୍ରାୟୁରାଲ ପ୍ରୋଗ୍ରାମ (ଏମ୍ଆର୍ଆଇପି) ଦ୍ୱାରା ଅନୁଦାନ ମିଳିଥିବାରୁ ଗବେଷିକା ଗବେଷକମାନେ ଆଣି ଏହାର ପରୀକ୍ଷା ନିରୀକ୍ଷା କରିଥିଲେ। ଏହା ଭିନ୍ନ ପ୍ରଜାତିର ହୋଇଥିବାରୁ ଏହା ଉପରେ ଅଧିକ ଗବେଷଣା କରି ତଥ୍ୟ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

