ଭିଡିଓ ରେକର୍ଡିଂରେ ହେବ ଯୁକ୍ତ ୨ ପାଠପଢ଼ା: ତାଲିମ ନେବେ ଅଧ୍ୟାପକ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ ନିଶ୍ଚିତତା ନ ଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀଛାତ୍ରଙ୍କୁ ନେଇ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରିବେ। ଏହା ମାଧ୍ୟମରେ ଅନ୍‌ଲାଇନ କ୍ଲାସ ନେବେ ଅଧ୍ୟାପକମାନେ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବୃନ୍ଦାବନ ବେହେରା ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ନିଜ ନିଜ ବିଷୟରେ ଇଣ୍ଟରନେଟ ଲିଙ୍କ୍‌ ଯୋଗାଇଦେବେ ଅଧ୍ୟାପକମାନେ। ପ୍ରତି ୧୫ ଦିନରେ ଥରେ ଅନ୍‌ଲାଇନ ଡାଉଟ କ୍ଲିଅରିଂ କ୍ଲାସ ନେବେ। ଅନ୍‌ଲାଇନ କ୍ଲାସ ସଠିକ ଭାବେ ଚାଲିଛି ନା ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ।
ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି, ଗଣିତର, ଆକାଉଣ୍ଟାନ୍ସିଂ ଓ ବିଜନେନ୍ସ ମ୍ୟାଥମେଟିକ୍ସର ଭିଡିଓ ହେବ। ଶିକ୍ଷକଙ୍କ ଦ୍ୱାରା ଏ ସବୁ ବିଷୟର ଶିକ୍ଷାଦାନର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍‌ କରାଯିବ। ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଶିକ୍ଷକଙ୍କୁ ନେଇ ଭିଡିଓ ସୁଟିଂ ହେବ। ଭିଡିଓ ସୁଟିଂ ପୂର୍ବରୁ ମଧ୍ୟାପକଙ୍କୁ ବୁଧବାରରୁ ୨ ଦିନିଆ ତାଲିମ ଦିଆଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବେହେରା ଏହି ସୂଚନା ଦେଇଛନ୍ତି।