ନୂଆ ଏନ୍‌ଏସି ଘୋଷଣା କେବଳ ନିର୍ବାଚନୀ ଧୂଆଁବାଣ: ଭାଜପା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ନୂଆ ଏନ୍‌ଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଅଁାବାଣ। ଏହାର କୌଣସି ସାମ୍ବିଧାନିକ ବୈଧାନତା ନାହିଁ। ନୂଆ ଏନ୍‌ଏସି ଘୋଷଣା କରିବା ପାଇଁ ହେଲେ ସେହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ପାରିତ କରିବାକୁ ପଡ଼େ। କ୍ୟାବିନେଟ୍‌ ପ୍ରସ୍ତାବକୁ ବିଧାନସଭାରେ ଅନୁମୋଦନ କରିବାକୁ ପଡ଼େ। ଏହାକୁ ରାଜ୍ୟପାଳ ଅନୁମୋଦନ କରିବା ପରେ ଯାଇ କୌଣସି ନୂଆ ଏନ୍‌ଏସି ବା ନୂଆ ପୌର ପରିଷଦ ଗଠନ କରାଯାଇଥାଏ। ରାଜ୍ୟ ସରକାର ଘୋଷଣା କରିଥିବା ୩୫ଟି ନୂଆ ଏନ୍‌ଏସିକୁ ନେଇ କ୍ୟାବିନେଟରେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ। ତେଣୁ ସରକାର କେଉଁଭଳି ହଠାତ୍‌ ରାତିଅଧିଆ ବିନା କ୍ୟାବିନେଟ୍‌ ଏବଂ ବିଧାନସଭାର ଅନୁମୋଦନରେ ଏହି ଘୋଷଣା କଲେ ବୋଲି ଭାଜପା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୀତାମ୍ବର କହିଛନ୍ତି, ରାଜ୍ୟରେ ଲୁଟେରା ସରକାର ଚାଲିଛି। ୨୪ ବର୍ଷ ଶାସନରେ ରାଜ୍ୟକୁ ଲୁଣ୍ଠନ କରିବା ପରେ ନିର୍ବାଚନକୁ ୨ ମାସ ଥିବାବେଳେ ତାଙ୍କର ବିକାଶ କଥା ମନେପଡ଼େ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ସରକାର ଆଇନଗତ ଅଧିକାରକୁ ଭ୍ରୂକୁଞ୍ଚତ୍ତ କରି ନିର୍ବାଚନୀ ଧୂଆଁବାଣ ଛାଡ଼ିଛନ୍ତି। ଏନେଇ ନିର୍ବାଚନ କମିଶନକୁ ଭାଜପା ଅବଗତ କରିବ। ନିର୍ବାଚନ ସମୟରେ ଲୋକମାନଙ୍କୁ ଭ୍ରମ ସୃଷ୍ଟିକାରୀ ଏବଂ ନୂଆ ଯୋଜନାର ଆଳ ଦେଖାଇବା ବିଜେଡିର ପୁରୁଣା ରୋଗ। ବିଜେଡି ସରକାରଙ୍କ ହୀନ ଉଦ୍ୟମକୁ ଭାଜପା ଦୃଢ଼ସ୍ବରରେ ନିନ୍ଦା କରୁଛି। ରାଜ୍ୟ ସରକାର ୩୫ଟି ଏନ୍‌ଏସି ଗଠନ କଲେନାହିଁ ବରଂ ନୂଆ ମକଦ୍ଦମା ତିଆରି କରିଦେଲେ। ପଦ୍ମପୁର ଜିଲା ଘୋଷଣାକୁ ବିଜେଡି ସରକାର ଯେଉଁଭଳି ପ୍ରାୟୋଜିତ ଢଙ୍ଗରେ ହାଇକୋର୍ଟରେ ନିଜର ଦଳୀୟ ଓକିଲଙ୍କୁ ଲଗାଇ ରୋକ୍‌ ଲଗାଇବାର ଷଡ଼ଯନ୍ତ୍ର କରାଇଥିଲେ ସେହିଭଳି ଏହି ନୂଆ ଏନ୍‌ଏସି ଗଠନ ଘୋଷଣାକୁ କରାଇବେ ବୋଲି ପୀତାମ୍ବର କହିଛନ୍ତି।