ରିଲିଜ୍‌ ହୋଇ ପାରୁନି ନୂଆ ସିନେମା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ସଙ୍କଟ ଭିତରେ କଲବଲ ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତ। ଗତବର୍ଷଠାରୁ ମାସ ମାସ ଧରି ଲକ୍‌ଡାଉନ୍‌ ଓ ଶଟ୍‌ ଡାଉନ୍‌ ଯୋଗୁ ଚଳଚ୍ଚିତ୍ର କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲା। ଫିଲ୍ମ ହଲ୍‌ ଓ ଶୁଟିଂ ବନ୍ଦ ହୋଇଯିବାରୁ କଳାକାର, କର୍ମଚାରୀ ଓ ଏଥିସହ ସମ୍ପୃକ୍ତ ଲୋକେ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ ବିତାଇଥିଲେ। ସ୍ଥିତି କିଛି ମାତ୍ରାରେ ସୁଧୁରିବା ପରେ ସରକାରଙ୍କ ନୂଆ ଗାଇଡ୍‌ ଲାଇନ ଅନୁଯାୟୀ ଅଧା ଦର୍ଶକରେ ହଲ ଚାଲିବାକୁ ନିର୍ଦ୍ଦେଶ ମିଳିଲା। ହେଲେ ଏବେ ପୁଣି ଦ୍ରୁତ ସଂକ୍ରମଣକୁ ନେଇ ଏହି ଶିଳ୍ପରେ ଭାଳେଣି ପଡିଲାଣି। କାରଣ ୧ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରଯୋଜକମାନେ ହାତ ବାନ୍ଧି ବସି ରହିଥିଲେ। ବହୁ କଷ୍ଟରେ ୧୦ରୁ ୧୫ ଚଳଚ୍ଚିତ୍ର ତିଆରି କରିଥିଲେ ମଧ୍ୟ ରିଲିଜ କରିପାରୁନାହାନ୍ତି। ଏଥିମଧ୍ୟରୁ କେତେକ ପ୍ରମୁଖ ଚଳଚ୍ଚିତ୍ର ହେଉଛି ‘ଏଇ ବୋଧେ ଭଲପାଇବା’, ‘ବିଶ୍ୱନାଥ’, ‘ମାଇଁ ଡାର୍ଲିଙ୍ଗ୍‌’, ‘ସହୀଦ୍‌ ରଘୁ ସର୍ଦ୍ଦାର’, ‘ହେ ବନ୍ଧୁ ବିଦାୟ’, ‘ତୁ ମୋ ନିହାତି ଦରକାର’, ‘ଆଇଆଇସି ବିରେନ୍‌’ ‘ଲୈଲା ମଜନୁ’। କରୋନାର ତାଡନାରୁ ବାହାରି ଧିରେ ଧିରେ ଅଣ୍ଟା ସରଖିବାବେଳକୁ କରୋନାର ଦ୍ୱିତୀୟ ଲହର ପୁଣିଥରେ ପ୍ରଯୋଜକଙ୍କ ମନୋବଳକୁ ଦୁର୍ବଳ କରିଦେବାକୁ ବସିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଟକଣା ଜାରି କରାଯାଉଛି। ସେହିଭଳି ରାୟଗଡାର ଗୋଟିଏ ହଲ୍‌ ଓ ଗଜପତି ଜିଲା ପାରଳାଖେମୁଣ୍ଡିର ୪ ହଲ୍‌କୁ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଦିଆଯାଇଛି। ଏଭଳି ସ୍ଥିତିରେ ଆଗକୁ କ’ଣ ହେବ ସେ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି। ଅପରପକ୍ଷେ ସିନେମା ଦେଖିବାକୁ ପର୍ଯ୍ୟାପ୍ତ ଲୋକ ଆସୁ ନ ଥିବାରୁ ହଲ୍‌ ମାଲିକମାନେ ବି ହଲ୍‌ ବନ୍ଦ କରିବାକୁ ଯୋଜନା କରୁଛନ୍ତି। କେତେଜଣ ପ୍ରଯୋଜକ ଘରୋଇ ଟିଭି ଚ୍ୟାନେଲରେ ପ୍ରିମିୟର ଶୋ’ କରୁଥିବା ଦେଖିବାକୁ ମିଳୁଛି।