ଦେବଗଡ,୧୮।୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା ନ୍ୟାୟଳୟ ପରିସରରେ ଗୁରୁବାର ଜିଲା ଓକିଲ ସଂଘ ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ରିଙ୍କୁ ନାଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ ଜିଲା ଓ ଦୌରାଜଜ ଗୌତମ ଶର୍ମା, ସ୍ବତନ୍ତ୍ର ଅତିଥି ଭାବେ ଦେବଗଡ ଜିଲାପାଳ କବିନ୍ଦ୍ର କୁମାର ସାହୁ, ଜିଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଓ ଅତିରିକ୍ତ ଜିଲା ଜଜ ସନ୍ତୋଷ କୁମାର ନାୟକ ପ୍ରମୁଖ ମଂଚାସୀନ ରହି ଜିଲା ଓକିଲ ସଂଘର ନୂତନ କର୍ମକର୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସଂଘ ଜନସାଧାରଣଙ୍କ ସେବାରେ ବ୍ରତୀ ହେବାକୁ ଆହ୍ବାନ ଇଦେଇଥିଲେ।
ଅନ୍ୟତମ ଅତିଥି ଭାବେ ଜିଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଶାନ୍ତ କୁମାର ବେହେରା, ରେଜିଷ୍ଟ୍ରର ବିଶ୍ୱଜିତ ମହାପାତ୍ର, ମହିଳା ଅଦାଲତର ବିଚାରପତି ତଥା ସହକାରୀ ଦୌରାଜଜ ଶାନ୍ତଶ୍ରୀ ମହାନ୍ତି,ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଅପୂର୍ବା ଚୌଧୁରୀ,ଏସ୍ଡିଜେଏମ ଧନଞ୍ଜୟ ନାୟକ ଓ ଜେଏମଏସ୍ସି ଶୁଭସ୍ମିତା ଶୁଭଦର୍ଶିନୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ନବ ନିର୍ବାଚିତ ସଭାପତି ସଚ୍ଚିକାନ୍ତ ଦାଶ, ଉପ ସଭାପତି ପୃଥ୍ବୀରାଜ ପଟ୍ଟନାୟକ, ସମ୍ପାଦକ ସିଦ୍ଧେଶ୍ୱର ଗୁରୁ, ସହ ସମ୍ପାଦକ ବିରେନ କୁମାର ପ୍ରଧାନ ,କୋଷାଧ୍ୟକ୍ଷ ରାଜକିଶୋର ପ୍ରଧାନ, କାର୍ଯ୍ୟକାରୀଣୀ ସଦସ୍ୟ ପ୍ରିୟବ୍ରତ ନନ୍ଦ, ଆଲୋକ କୁମାର ମିଶ୍ର, ଅନନ୍ତ ନାରାୟଣ ଦାଶ ଓ ପୂର୍ଣ୍ଣଚନ୍ଦ୍ର ବୁଡା ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।
ଏହି ଅବସରରେ ଅତିଥି ଏବଂ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ସଂଘ ପକ୍ଷରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପ୍ରାରମ୍ଭରେ ନୂତନ ସଭାପତି ଶ୍ରୀଯୁକ୍ତ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଜିଲା ଓକିଲ ସଂଘର ସମସ୍ତ ସଦସ୍ୟ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ ।


