
ଖୋର୍ଦ୍ଧା/ବେଗୁନିଆ,୧୮ା୪(ପ୍ରଭାତ ପାଣିଗ୍ରାହୀ/ସନ୍ଧ୍ୟାରାଣୀ ମିଶ୍ର): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୌଡ଼ପାଟଣା ନିକଟ ଖୁଣ୍ଟବନ୍ଧ ଗ୍ରାମର ଏକ ବିଲରେ ଥିବା ଗଛ ଡାଳରେ ଗୋଟିଏ ଓଢ଼ଣିରେ ଝୁଲୁଥିବା ଅବସ୍ଥାରେ ୨ଟି ମୃତଦେହକୁ ଗୁରୁବାର ପୋଲିସ ଜବତ କରିଛି। ମୃତକମାନେ ହେଲେ ରାଜସୁନାଖଳା ଗୋପୀନାଥପୁର ସାହିର ଅଜୟ କୁମାର ପ୍ରଧାନ (୪୩) ଏବଂ ଶାନ୍ତିଲତା ମହାପାତ୍ର। ଘଟଣାସ୍ଥଳ ନିକଟରୁ ପୋଲିସ ଏକ ସ୍କୁଟି ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାପରେ ଏଠାରେ ସେମାନଙ୍କୁ ଟାଙ୍ଗି ଦିଆଯାଇଛି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାଜସୁନାଖଳାରେ ଅଜୟଙ୍କ ଏକ ଗ୍ୟାରେଜ ରହିଥିବା ବେଳେ ଶାନ୍ତିଲତା ଏକ ବିୟୁଟି ପାର୍ଲର କରିଛନ୍ତି। ପୋଲିସ ମୃତକଙ୍କ ପରିବାରଙ୍କ ଅଭିଯୋଗକ୍ରମେ ପୃଥକ୍ଭାବେ ଦୁଇଟି ଅପମୃତ୍ୟୁ ମାମଲା (ନଂ.୮ ଏବଂ ୯/୨୫) ରୁଜୁକରି ତଦନ୍ତ ଚଳାଇଛି।
ସୂଚନା ମୁତାବକ, ଗତ କିଛି ବର୍ଷ ତଳେ ଅଜୟ ଓ ଶାନ୍ତିଲତା ପରସ୍ପରକୁ ଭଲ ପାଉଥିଲେ। ଏପରିକି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସମ୍ପର୍କ ଛିନ୍ନ ହୋଇଥିଲା। ପରେ ଉଭୟ ଅନ୍ୟତ୍ର ବିବାହ କରିଥିଲେ। ଉଭୟଙ୍କ ପୁଅଝିଅ ମଧ୍ୟ ଅଛନ୍ତି। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଶାନ୍ତିଲତା ତାଙ୍କ ସ୍ବାମୀଙ୍କୁ ଛାଡ଼ି ଆସି ଗ୍ରାମରେ ରହିଥିଲେ। ଏହା ପରେ ପୁଣି ଅଜୟ ଓ ଶାନ୍ତିଲତାଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଧୀରେ ଧୀରେ ପୂର୍ବ ସ୍ମୃତିକୁ ମନେପକାଇ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ।
ଏନେଇ ଉଭୟ ପରିବାରରେ ଅସନ୍ତୋଷ ଲାଗି ରହିଥିଲା। ସିକୋ ଫାଣ୍ଡିରେ ଏହାର ସମାଧାନ ପାଇଁ ଗୁରୁବାରକୁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଲୋକଲଜ୍ଜା, ମାନସିକ ସ୍ତରରେ ଭାରସାମ୍ୟ ହରାଇ ବୁଧବାର ରାତିରେ ଉଭୟ ଏକ ସ୍କୁଟିରେ ଉକ୍ତ ସ୍ଥାନକୁ ଆସି ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟାର ରୂପ ଦିଆଯାଇଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ଗୋଡ଼ ଭୂଇଁକୁ ଲାଗି ରହିଥିବାବେଳେ ଏକ ସରୁ ଗଛ ଡାଳରେ ଉଭୟଙ୍କ ମୃତଦେହ ଝୁଲିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି। ସିକୋ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା, ଜଙ୍କିଆ ଥାନାଧିକାରୀ ସୁଶାନ୍ତ କୁମାର ବେହେରା ପ୍ରମୁଖ ପହଞ୍ଚି ସ୍କୁଟି ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।