ତଳମଲା ପଞ୍ଚାୟତରେ ନୂତନ ମଣ୍ଡି ଉଦ୍‌ଘାଟିତ

ଜୁନାଗଡ, ୨୫।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତର ନୂତନ ମଣ୍ଡି ସୋମବାର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଦୁଶିଲା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ରାଜନୈତିକ ସଚିବ ଦିନେଶ ବଗର୍ତ୍ତୀ ଯୋଗଦେଇ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି ମଣ୍ଡି ଦ୍ୱାରା ଅଞ୍ଚଳର ଅନେକ ଚାଷୀ ସୁବିଧାରେ ଧାନ ବିକ୍ରି କରି ଲାଭବାନ ହୋଇପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ବରିଷ୍ଠ ରସାୟନବିତ୍‌ ସତ୍ୟ ପ୍ରକାଶ ନାଏକ, ନାଏବ ସରପଞ୍ଚ ମିତା ମାଝି, ପ୍ୟାକ୍ସ କର୍ମଚାରୀ ସୁଧାକର ମିଶ୍ର, ପୂର୍ବତନ ସରପଞ୍ଚ ଧବଲେଶ୍ୱର ନାଏକ, ଲିଙ୍ଗରାଜ ସେନାପତି, କାମାକ୍ଷ ପ୍ରସାଦ ପ୍ରଧାନୀ, କୃଷ୍ଣଚନ୍ଦ୍ର ନାଗ, ଦୟାନିଧି ହଂସ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘବର୍ଷ ପରେ ଏହି ପଞ୍ଚାୟତରେ ନୂତନ ମଣ୍ଡି ହୋଇଥିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।