କେତେ ନୂଆ ଆଇନ

ବ୍ରିଟିଶ ଅମଳର ଆପରାଧିକ ଆଇନକୁ ଶେଷକରି ଭାରତରେ ୩ଟି ନୂତନ ଆଇନ ଏହି ମାସ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା(ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ (ଆଇଇଏ) ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି। ଗତବର୍ଷ ଡିସେମ୍ବର ୨୧ରେ ୩ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌ ହେବା ପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା। ଉଲ୍ଲେଖନୀୟ ଯେ, ସେହି ସମୟରେ ସଂସଦରୁ ଅଧିକାଂଶ ବିରୋଧୀ ସଦସ୍ୟ ନିଲମ୍ବିତ ହୋଇଥିବାବେଳେ ଭଏସ୍‌ ଭୋଟରେ ଏହା ପାସ୍‌ କରାଯାଇଥିଲା। ନୂଆ ଆପରାଧିକ ଆଇନଗୁଡ଼ିକରେ ଜିରୋ ଏଫ୍‌ଆଇଆର ବ୍ୟବସ୍ଥା, ବିଚାରର ଭିଡିଓ କନ୍‌ଫରେନ୍‌ସରେ ନିଶ୍ଚିତତା, ତ୍ୱରିତ ବିଚାର ଓ ରାୟ ପାଇଁ ସମୟସୀମା ନର୍ଦ୍ଧାରଣଠାରୁ ଆରମ୍ଭକରି ଭିଡ଼ ହିଂସା ଅପରାଧ, ସଂଗଠିତ ଅପରାଧ, ରାଷ୍ଟ୍ର ବିରୋଧୀ ଅପରାଧ ଓ ଆତଙ୍କବାଦର ସଂଜ୍ଞା ନିରୂପଣ ସହିତ ଶିଶୁ ଏବଂ ମହିଳା ବଳାତ୍କାର ଆଦିି ପ୍ରମୁଖ ବିଷୟରେ ଅନେକ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଆଇନ ଲାଗୁ ହେବା ଦିନ ପ୍ରଥମେ ଗ୍ବାଲିୟରରେ ଜଣେ ବାଇକ ଚୋର ବିରୋଧରେ କେସ୍‌ ହେବା ପରେ ଦିଲ୍ଲୀର କମଳା ମାର୍କେଟ ପୋଲିସ ଷ୍ଟେଶନରେ ଜଣେ ରାସ୍ତାକଡ଼ ବୁଲା ବିକାଳିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୫ରେ ଏଫ୍‌ଆଇଆର୍‌ ଦାୟର କରାଯାଇଥିଲା। ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଏକ ଫୁଟ୍‌ ଓଭର ବ୍ରିଜ୍‌ରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିଲା। କିନ୍ତୁ ଏହାକୁ ଖାରଜ କରାଯାଇଥିବା ଖୋଦ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଫେଇ ଦେଇଛନ୍ତି। ଦିଲ୍ଲୀ ମାମଲାରୁ ବୁଝିବାକୁ ହେବ ଯେ, ଭାରତରେ ଯେତେ ନୂଆ ଆଇନ ପ୍ରସ୍ତୁତ କରାଯାଉଛି ସେଗୁଡ଼ିକ ସର୍ବନିମ୍ନ ସ୍ତରରେ ଗରିବ, ଅସହାୟ ଏବଂ ଖଟିଖିଆଙ୍କ ବିରୋଧରେ ବ୍ୟବହାର କରାଯିବାର ମାନସିକତା ରଖାଯାଇଛି।
ଭାରତରେ ଆପରାଧିକ ମାମଲା ସଂଖ୍ୟା ଲଗାତର ବଢ଼ିଆସୁଛି, ଅଭିଯୁକ୍ତମାନେ ବହୁଦିନ ଧରି ନ୍ୟାୟ ଅପେକ୍ଷାରେ ରହୁଛନ୍ତି। ଏପରିକି ବିଚାର ପାଇଁ ବିଚାରପତିଙ୍କର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି। ତେବେ ଏହି ନୂତନ ଆଇନ ଜୁଲାଇ ୧ ପୂର୍ବର ଅପରାଧ ପାଇଁ ଲାଗୁ ହେବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରକାଶ କରିବା ପରେ ପୂର୍ବ ମାମଲାଗୁଡ଼ିକ କିଭଳି ଓ କେବେ ଶୀଘ୍ର ସମାଧାନ କରାଯିବ ତାହା ସମ୍ପର୍କରେ କିଛି ସମୟସୀମା ନିର୍ଦ୍ଧାରଣ କରାଯାଇନାହିଁ। ଅନ୍ୟ ପକ୍ଷରେ ଏବେ ଆଇନଜୀବୀ, ନାଗରିକ ସମାଜ ଏବଂ ବିରୋଧୀ ଦଳଗୁଡ଼ିକ ନୂଆ ଆଇନରେ ପୋଲିସ ହାଜତ ସମୟସୀମାକୁ ୧୫ ଦିନରୁ ୬୦ କିମ୍ବା ୯୦ ଦିନ ଯାଏ ବଢ଼ାଇ ପୋଲିସର କ୍ଷମତା ବୃଦ୍ଧିକୁ ଘୋର ବିରୋଧ କରିଛନ୍ତି। ଏହା ଏକ ପଶ୍ଚାତଗାମୀ ପଦକ୍ଷେପ, ଯାହା ନାଗରିକଙ୍କ ମୌଳିକ ଅଧିକାରର ବିରୋଧୀ ବୋଲି କହିଛନ୍ତି। ଏମାନଙ୍କ ଅଭିଯୋଗକୁ ଲକ୍ଷ୍ୟ କଲେ ଏହାର ବାସ୍ତବତା ପୁରୁଣା ଆଇନ ସମୟରେ ଦେଖିବାକୁ ମିଳିଛି। ପୋଲିସ ହାଜତରେ ୧୫ ଦିନ ରହିବା ଭିତରେ ନିର୍ଯାତନା ମାତ୍ରାଧିକ ହେବା କିମ୍ବା ଅଭିଯୁକ୍ତଙ୍କର ମୃତ୍ୟୁ ଘଟିବା ଘଟଣା ବଢ଼ିଥିବା ଏନ୍‌ସିଆର୍‌ବି ରେକର୍ଡରୁ ଜଣାପଡ଼େ। ତେବେ ତଦନ୍ତ ନାଁରେ ଅଭିଯୁକ୍ତଙ୍କୁ ୧୫ଦିନରୁ ୪ କିମ୍ବା ୬ଗୁଣ ଅଧିକ ଦିନ ରଖାଗଲେ ପୋଲିସର କାର୍ଯ୍ୟାନୁଷ୍ଠାନ ମାତ୍ରାଧିକ ହେବାର ସମ୍ଭାବନା ବୃଦ୍ଧି ପାଉଛିି। ସମୟ ଓ ପରିସ୍ଥିତିର ଆବଶ୍ୟକତାକୁ ନେଇ ବ୍ରିଟିଶ ଅମଳର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଛି ସତ, କିନ୍ତୁ ଭାରତୀୟ ସମାଜରେ ଅପରାଧର ଢାଞ୍ଚା ଏବଂ ପ୍ରବଣତାକୁ ଦେଖିଲେ ଏକାଥରକେ ଏହି ନୂଆ ଆଇନରେ ସବୁକିଛି ସମାଧାନ ହେବା ଭଳି ମନେ ହେଉନାହିଁ।
ଏହା ନିଶ୍ଚିତ ଭାବେ କୁହାଯାଇପାରେ ଯେ, ଅନେକ ଭାରତୀୟ ଆଇନ ପୁରୁଣା ହୋଇଗଲାଣି। ଆଧୁନିକ ଯୁଗରେ କାର୍ଯ୍ୟକାରୀ କରାଇବାକୁ ହେଲେ ଅନେକ ଆଇନର ଆଧୁନିକୀକରଣ କରିବା ଦରକାର। ସେତେବେଳେ ବ୍ରିଟିଶ ସମୟର ଆଇନଗୁଡ଼ିକ ବିଦେଶୀ ଶାସକଙ୍କର କାର୍ଯ୍ୟରେ ସୁବିଧା ଆଣିବା ପାଇଁ ଉଦ୍ଦିଷ୍ଟ ଥିଲା। ନୂତନ ଆଇନର ଉଦ୍ଦେଶ୍ୟ ନାଗରିକଙ୍କର ସୁବିଧା ହେବା ଦରକାର। କେବଳ ଅଧିକ କଡ଼ା ଦଣ୍ଡବିଧାନ ସୃଷ୍ଟି କରିଦେଲେ ଯଥେଷ୍ଟ ହେବନାହିଁ। ଏବେ ମଧ୍ୟ ପୋଲିସ କହୁଛି ଯେ, ଅଧିକ ମାମଲା ଦାୟର ହେଉଥିବାରୁ ଏବଂ ଅନ୍ୟପଟେ ସବୁ ଥାନାରେ ନିର୍ଦ୍ଧାରିତ ସଂଖ୍ୟା ଅନୁସାରେ କର୍ମଚାରୀ ନ ଥିବାରୁ ତଦନ୍ତ ଓ ନ୍ୟାୟ ଦେବାରେ ବିଳମ୍ବ ଘଟୁଛି। ଯଦି ଏହି ପରିସ୍ଥିତି କେବଳ ଓଡ଼ିଶାରେ ସୀମିତ ରହିଥାଆନ୍ତା ତେବେ ଏକ ଭିନ୍ନ ଚିନ୍ତାଧାରା ସୃଷ୍ଟି ହୋଇଥାଆନ୍ତା। ଅନ୍ୟପଟେ ଯେଉଁମାନେ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟର ପୋଲିସ ପରିସ୍ଥିତି ସମ୍ପର୍କରେ ଅବଗତ ସେମାନେ ଜାଣନ୍ତି ଯେ, ଭାରତୀୟ ପୋଲିସ ବ୍ୟବସ୍ଥାରେ ତ୍ୱରିତ ନ୍ୟାୟ କିମ୍ବା ତଦନ୍ତ କରାଇବା ଏକ ଅସମ୍ଭବ କାର୍ଯ୍ୟ। ଏଥିରୁ ବୁଝାପଡ଼େ ପୋଲିସ କର୍ମଚାରୀଙ୍କର କେବଳ ସଂଖ୍ୟା କିମ୍ବା ଅପାରଗତା କାରଣ ନୁହେଁ, ସେମାନଙ୍କର ମାନସିକତା ଏବଂ ସମ୍ପୂର୍ଣ୍ଣ ଆଭିମୁଖ୍ୟରେ ବିକୃତି ପ୍ରକାଶ ପାଉଛି। ସେଭଳି ମାନସିକତାକୁ ଦୃଷ୍ଟିରେ ରଖି ନୂଆ ଆଇନ ସୃଷ୍ଟି କରାଯିବାର ପ୍ରୟୋଜନ ରହିଛି।
ଅଧିକ ମାମଲା ରୁଜୁ କରିବା ପାଇଁ ସହଜ ବାଟ ସୃଷ୍ଟି କରିଦିଆଗଲେ ମିଥ୍ୟାର ଶିକାର ହୋଇଯିିବ ସମ୍ପୂର୍ଣ୍ଣ ବ୍ୟବସ୍ଥା। ଗତ ମାସ ପର୍ଯ୍ୟନ୍ତ ଯେଉଁ ବ୍ୟବସ୍ଥା ଥିଲା ସେଥିରେ କୌଣସି ବ୍ୟକ୍ତି କାହା ବିରୋଧରେ ଏଫ୍‌ଆଇଆର୍‌ ଦାୟର କରିବା ପାଇଁ ଥାନା ଦ୍ୱାରସ୍ଥ ହେବାକୁ ପଡ଼ୁଥିଲା। ପୋଲିସର ଦୌରାତ୍ମ୍ୟକୁ ଭୟ କରି ଅନେକ ଭଦ୍ର ନାଗରିକଙ୍କ ସମେତ ଦୁଷ୍ଟ ପ୍ରକୃତିର ବ୍ୟକ୍ତି ଥାନାକୁ ଯାଉ ନ ଥିଲେ। ମିଛ କେସ୍‌ ଦେବା ପୂର୍ବରୁ ଅନେକ ଥର ଭାବୁଥିଲେ। ଏବେ ଆଧୁନିକ ଯୁଗର ଦ୍ୱାହି ଦେଇ ‘ଅନ୍‌ଲାଇନ୍‌’ ଏଫ୍‌ଆଇଆର୍‌ ଦେବାର ଯେଉଁ ବ୍ୟବସ୍ଥା ସୃଷ୍ଟି କରାଯାଇଛି ତାହା ଅଳ୍ପ ଭଦ୍ର ଲୋକ ଏବଂ ବହୁ ନକାରାତ୍ମକ ବ୍ୟକ୍ତିଙ୍କୁ ମିଛ କେସ୍‌ ଦେବାରେ ସହାୟକ ହେବ। ଏବେ ପୋଲିସ ଏଫ୍‌ଆଇଆର୍‌ ସ୍ବୀକାର କରିବାକୁ ମନା କରିଦେଇ ନିଜ ଥାନାର ମାମଲା ସଂଖ୍ୟା ହ୍ରାସ କରିପାରୁଥିଲା। ୧ ଜୁଲାଇଠାରୁ ପ୍ରାୟ ସବୁ ଥାନାରେ ମାମଲା ସଂଖ୍ୟା କ୍ରମଶଃ ଯଥେଷ୍ଟ ବୃଦ୍ଧି ପାଇବା ସ୍ବାଭାବିକ। ସେହି ବୃଦ୍ଧି ସହିତ ସମାନୁପାତିକ ଭାବେ ପୋଲିସବାହିନୀର ସଂଖ୍ୟା ବୃଦ୍ଧି କରିବା ସହ ସେମାନଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇବା ପାଇଁ ନିୟମିତ ପ୍ରଶିକ୍ଷଣ ଦିଆଯିବାର ବନ୍ଦୋବସ୍ତ କରିବା ଅତ୍ୟନ୍ତ ଆବଶ୍ୟକ। ମୌଳିକ ପରିବର୍ତ୍ତନ କରାଯିବା ପରିବର୍ତ୍ତେ କେବଳ ଉପରଠାଉରିଆ ସ୍ନୋ ପାଉଡ଼ର ଲଗାଇଲା ଭଳି ଆଇନକୁ କଡ଼ାକଡ଼ି କରାଗଲା ବୋଲି କହି ନିଜକୁ ପ୍ରଶଂସା କଲେ ଭବିଷ୍ୟତରେ ପରିବର୍ତ୍ତନ ଘଟିବ ବୋଲି ଚିନ୍ତା କରିବା ପଲାଳିଆମି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri