ହାତୀଙ୍କ ପାଇଁ ବନ ବିଭାଗର ନୂଆ ପଦକ୍ଷେପ

କେନ୍ଦୁଝର,୨୩ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ଏବଂ ୪୯ ନମ୍ବର ଜାତୀୟ ରାଜପଥରେ ହାତୀମାନଙ୍କ ଯାତାୟାତରେ ବାଧକ ସୃଷ୍ଟି ହୋଇଛି। ଏଥିପାଇଁ ଅନେକ ସ୍ଥାନରେ ଅଣ୍ଡରପାସ ନିର୍ମାଣ କରାଯାଇଥିଲେ ହେଁ ସେସବୁରେ ହାତୀମାନେ ବିଭିନ୍ନ କାରଣରୁ ରାସ୍ତା ଅପରପାର୍ଶ୍ୱକୁ ଯିବା ଆସିବା କରିପାରୁନାହାନ୍ତି। ଏହି ସବୁ ଅଣ୍ଡରପାସ୍‌ରେ ହାତୀମାନଙ୍କ ଯାତାୟାତ ପାଇଁ ବନ ବିଭାଗ ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି। ହାତୀପଲ ରାସ୍ତା ପାର ହେବା ପରିବର୍ତ୍ତେ ଉକ୍ତ ଅଣ୍ଡରପାସ୍‌ ଦେଇ କିପରି ପାର ହୋଇ ଆରପାଖକୁ ଯିବା ଆସିବା କରିପାରିବେ ସେ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅଣ୍ଡରପାସରେ ବନ ବିଭାଗ ପକ୍ଷରୁ ହାତୀ ମଳ ପକାଯାଉଛି। ଫଳରେ ଏହାର ଗନ୍ଧ ପାଇ ହାତୀମାନେ ସେମାନଙ୍କ ଯାତାୟାତ ପଥ ଭାବି ଯାତାୟାତ କରିବେ। ସେହିପରି ଅଣ୍ଡରପାସ ତଳେ ଓ ପାଖରେ ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ବିଶେଷକରି ସେମାନଙ୍କ ପ୍ରିୟ ଖାଦ୍ୟ କଦଳୀ ଗଛ ଲଗାଇବା ସହ ଧାନ ବୁଣାଯାଉଛି। ଫଳରେ ସେସବୁ ଖାଇବାକୁ ଯାଇ ହାତୀମାନେ ଉକ୍ତ ପଥରେ ସୁବିଧାରେ ଯାତାୟାତ କରିପାରିବେ ବୋଲି ମତପ୍ରକାଶ ପାଉଛି।

ସୂଚନାଯୋଗ୍ୟ, ବିଗତ ଦିନରେ ୨୦ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ବେଳେ ଘଟଗାଁ ବ୍ଲକ ଅଞ୍ଚଳରେ ମାଲବାହୀ ଟ୍ରକ୍‌ ଓ ବସ୍‌ ଧକ୍କାରେ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଯାତାୟାତ କରୁଥିବା ବହୁ ସଂଖ୍ୟାରେ ଟ୍ରକ୍‌, ଟ୍ରଲର ତଥା ରାସ୍ତାକଡ଼ରେ ପାର୍କିଂ ହେଉଥିବା ଲମ୍ବା ଟ୍ରକ୍‌ ଧାଡ଼ି ଯୋଗୁ ଅନେକ ସମୟରେ ହାତୀମାନେ ଅପରପାର୍ଶ୍ୱକୁ ଯାଇ ନ ପାରି ଗୋଟିଏ ଜଙ୍ଗଲରେ ରହି ଆଖପାଖ ଅଞ୍ଚଳରେ ଉପଦ୍ରବ ଚଳାଉଥିବାରୁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ଏଭଳି ପଦକ୍ଷେପ ସେମାନଙ୍କ ସୁରକ୍ଷିତ ଯାତାୟାତରେ ସୁବିଧାଜନକ ହୋଇପାରିବ ବୋଲି ମତପ୍ରକାଶ ପାଇଛି।