ଆସିଲା ନୂଆ ଗାଇଡ୍‌ଲାଇନ୍‌: କଠିନ ଡ୍ୟୁଟିରୁ ଗର୍ଭବତୀ ପୋଲିସ ଅଫିସରଙ୍କୁ ମିଳିବ ମୁକ୍ତି

ଭୁବନେଶ୍ୱର,୨୭ା୧୧(ତ୍ରିନାଥ ମହାନ୍ତି):ଓଡ଼ିଶା ପୋଲିସର ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ରାତି ପାଟ୍ରୋଲିଂ ଓ କଠିନ ଡ୍ୟୁଟିରୁ ମୁକ୍ତି ମିଳିବ। ଏଥିସହ ବର୍ଷକୁ ୧୨ଦିନ ଅତିରିକ୍ତ କାଜୁଆଲ ଲିଭ୍‌ର ବ୍ୟବସ୍ଥା ରହିଛି। ଆହୁରି ମଧ୍ୟ ଗର୍ଭବତୀ ମହିଳା ପୋଲିସଙ୍କ ପ୍ରି ଓ ପୋଷ୍ଟ ପ୍ରେଗ୍‌ନାନ୍ସି କେୟାର ନେବ ପୋଲିସ ବିଭାଗ। ସେଥିପାଇଁ ଆବେଦନ କରିବା ମାତ୍ରେ ଦିଆଯିବ ଛୁଟି। ଥାନା ବାବୁ ନ ଶୁଣିଲେ, ଗ୍ରିଭାନ୍ସ ପାଇଁ ଏସ୍‌ଡିପିଓ କିମ୍ବା ଏସ୍‌ପିଙ୍କ ନିକଟକୁ ଯାଇପାରିବେ। ନିରାଶ ହେଲେ ସିଧାସଳଖ ପୋଲିସ ଡିଜିଙ୍କୁ ଅଭିଯୋଗ ଜଣାଇପାରିବେ। ଏମିତି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ ଜାରି କରିଛି ଓଡ଼ିଶା ପୋଲିସର କ୍ରାଇମ୍‌ ଏଗ୍‌ନେଷ୍ଟ ଓ୍ବିମେନ ଆଣ୍ଡ୍‌ ଚିଲ୍‌ଡ୍ରେନ ୱିଙ୍ଗ୍‌। ଏ ସମ୍ପର୍କରେ ସୂଚନା ଦେଇ ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ କହିଛନ୍ତି, ମହିଳା ପୋଲିସଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ମାନସିକ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ପ୍ରେଗ୍‌ନାନ୍ସି ପାଇଁ ଫିଜିକାଲ ଓ ମେଣ୍ଟାଲ କେୟାର ନିହାତି ଜରୁରୀ। ତେଣୁ ମହିଳା ଅଫିସରଙ୍କୁ ରାତିରେ ପାଟ୍ରୋଲିଂ, ଥାନାରେ ଡିସିଓ ଭଳି ହାର୍ଡ ଡ୍ୟୁଟି ଦିଆଯାଉନାହିଁ। ସେମାନେ ଚାହିଁଲେ ନିଜ ଡ୍ୟୁଟି ବଦଳାଇ ପାରିବେ।
ଅନ୍ୟପକ୍ଷରେ ମହିଳା ପୋଲିସ ପାଇଁ ଏହି ନୂଆ ଗାଇଡ୍‌ଲାଇନ୍‌ର କାର୍ଯ୍ୟକାରିତାକୁ ନେଇ ଓଡ଼ିଶା ପୋଲିସ ଅଫିସର୍ସ ଆସୋସିଏଶନ ଆଣ୍ଡ୍‌ ହାବିଲଦାର କନ୍‌ଷ୍ଟେବଲ ସିପାହି ମହାସଂଘ ପ୍ରଶ୍ନ ଉଠାଇଛି। ଓଡିଶା ପୋଲିସ ସଂଘ ସଭାପତି ଅସିତ ଜେନା କହିଛନ୍ତି, ସରକାର ଆମ ପ୍ରତି ଚିନ୍ତା କରୁନାହାନ୍ତି। ୧୯୮୬ ମସିହାରୁ ଆମେ ରାଜ୍ୟ ସରକାରଙ୍କ ନିକଟରେ ସ୍ବାସ୍ଥ୍ୟ ବୀମା ପାଇଁ ପ୍ରସ୍ତାବ ଓ ଦାବି ରଖି ଆସୁଛୁ। ମାତ୍ର ସରକାରଙ୍କ ଦ୍ବାରା ଏହା କାର୍ଯ୍ୟକାରୀ ହୋଇନାହିଁ। ଯେତିକି ଦରମା ପାଉଛୁ ସେତିକିରେ ସ୍ବାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ କଲେ ପରିବାର କେମିତି ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ସରକାର ତୁରନ୍ତ ଆମ ପାଇଁ ସ୍ବାସ୍ଥ୍ୟ କାର୍ଡ ଯୋଗାଇଦେବାର ବ୍ୟବସ୍ଥା କରନ୍ତୁ। ଯଦି ସରକାର ଚଳିତ ବିଧାନସଭା ଅଧିବେଶନ ମଧ୍ୟରେ ଦାବି ପୂରଣ ନ କରନ୍ତି, ତେବେ ୭୦ ହଜାର ପୋଲିସ ଫୋର୍ସଙ୍କ ସ୍ବାର୍ଥ ରକ୍ଷା ପାଇଁ ମିଳିତ ସଂଘର ଅନିଚ୍ଛା ସତ୍ତ୍ୱେ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ହାବିଲଦାର କନ୍‌ଷ୍ଟେବଲ୍‌ ସିପାହି ମହାସଂଘ ସମ୍ପାଦକ କିଶୋର ମହାନ୍ତି କହିଛନ୍ତି।

Share