ହସ୍ପିଟାଲ ପାଇଁ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବିସ୍ଫୋରକ ରୂପ ନେଉଛି କରୋନାର ଦ୍ୱିତୀୟ ଲହର। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ନେଇ ହସ୍ପିଟାଲଗୁଡ଼ିକ ପାଇଁ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମେଡିକାଲ ଯେଭଳି ହଟ୍‌ସ୍ପଟ୍‌ ନ ପାଲଟିଯିବ, ସେଥିପାଇଁ ଦୃଷ୍ଟି ଦେବାକୁ ସରକାରଙ୍କ ପକ୍ଷରୁ କଡ଼ା ତାଗିଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେଶନ କ୍ଲିନିକ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ହସ୍ପିଟାଲକୁ ଆସୁଥିବା ସମସ୍ତ ଲୋକଙ୍କ ସ୍କ୍ରିନିଂ କରାଯିବ। ସେଠାରେ ପର୍ଯ୍ୟାପ୍ତ ପରିମାଣର ହାତଧୂଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଯେ, ଗତବର୍ଷ କରୋନାର ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୨୫ରେ ସଂକ୍ରମଣ ଗ୍ରାଫ୍‌ ଶୀର୍ଷରେ ପହଞ୍ଚିଥିଲା। ସେମେବେଳେ ରାଜ୍ୟରେ ସର୍ବାଧିକ ୪,୩୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ଦ୍ୱିତୀୟ ଲହର ଏହି ରେକର୍ଡକୁ ଭାଙ୍ଗି ଦେଇଛି। ତେବେ ପଶ୍ଚିମ ଓଡ଼ିଶାର ସ୍ଥିତି ସଙ୍ଗିନ ରହିଥିବା ବେଳେ ଏବେ ଉତ୍ତର ଓ ପୂର୍ବାଞ୍ଚଳ ଜିଲାରେ ସଂକ୍ରମଣ ହୁ ହୁ ହୋଇ ମାଡ଼ି ଚାଲିଛି। ଗୋଷ୍ଠୀ ସଂକ୍ରମଣ ଭଳି ଏହା ଦ୍ରୁତ ଗତିରେ ବଢ଼ୁଥିବାରୁ ମେ’ ମାସରେ ପିକ୍‌କୁ ଯାଇ କମିପାରେ ବୋଲି ସତର୍କ କରାଯାଇଛି।