ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା: ପ୍ରତି ହସ୍ପିଟାଲରେ ସ୍ବତନ୍ତ୍ର ଫିଭର କ୍ଲିନିକ୍‌

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାଖାପାଖି ପହଞ୍ଚତ୍ଥିବାବେଳେ ଏବେ ଏହି ଲଢ଼େଇରେ ସାମିଲ୍‌ ହୋଇଥିବା ବହୁ ଆଗଧାଡ଼ିର ଯୋଦ୍ଧା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହେବାରେ ଲାଗିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମାକୁ ଠିକ୍‌ ଭାବେ ପାଳନ କରାଯାଉ ନ ଥିବାରୁ ହସ୍ପିଟାଲରେ ସଂକ୍ରମଣ ବଢୁଥିବା ଜଣାପଡିଛି। ରାଜ୍ୟର ବିଭିନ୍ନ ଘରୋଇ ଓ ସରକାରୀ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ସଂକ୍ରମଣର ଶିକାର ହୋଇଛନ୍ତି। ବିଶେଷକରି ଭୁବନେଶ୍ୱରସ୍ଥିତ ବ୍ଲୁ ହୁଇଲ୍‌ ଘରୋଇ ହସ୍ପିଟାଲରେ ୨୭ରୁ ଊର୍ଦ୍ଧ୍ୱ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଚିନ୍ତା ବଢ଼ିଛି। ଏହାକୁ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିବା ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏହି ନିର୍ଦ୍ଦେଶନାମା ସଂକ୍ରାନ୍ତରେ ଡିଏମ୍‌ଇଟି ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ପ୍ରତ୍ୟେକ ହସ୍ପିଟାଲ କୋଭିଡ୍‌-୧୯ ଓ ଅଣକୋଭିଡ୍‌ ଚିକିତ୍ସାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଆବଶ୍ୟକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ପ୍ରତ୍ୟେକ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଫିଭର କ୍ଲିନିକ୍‌ ଖୋଲିବେ। ହସ୍ପିଟାଲ ମଧ୍ୟରେ ସନ୍ଦିଗ୍ଧ ବା ଚିହ୍ନଟ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଏକ ପୃଥକୀକୃତ ଅଞ୍ଚଳ ନିରୂପଣ କରିବେ। ଏଠାରେ କାର୍ଯ୍ୟରତ କର୍ମଚାରୀ ହସ୍ପିଟାଲର ଅନ୍ୟ ସ୍ଥାନରେ ନିୟୋଜିତ ହେବେ ନାହିଁ। ସମସ୍ତ କର୍ମଚାରୀଙ୍କୁ କରୋନା ସଂକ୍ରମଣ ଓ ପ୍ରତିଷେଧ ମୂଳକ ପଦକ୍ଷେପ ସମ୍ପର୍କରେ ୭ଦିନ ମଧ୍ୟରେ ପ୍ରଶିକ୍ଷଣ ଦେବେ। ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ସେ ସଂକ୍ରାନ୍ତ ପ୍ରମାଣପତ୍ର ଦାଖଲ କରିବେ। ସମସ୍ତ ଘରୋଇ ହସ୍ପିଟାଲ ସେମାନଙ୍କ ନୋଡାଲ ଅଫିସରଙ୍କ ନାମ, ଫୋନ୍‌ ନମ୍ବର ଓ ଇ-ମେଲ୍‌ ଠିକଣା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବେ ବୋଲି କୁହାଯାଇଛି।