ଗ୍ରାମାଞ୍ଚଳ, ଜନଜାତି ଅଞ୍ଚଳରେ ଶିକ୍ଷାର ପାର୍ଥକ୍ୟକୁ ଦୂର କରିବ ନୂଆ ଶିକ୍ଷାନୀତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୯(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଶିକ୍ଷା ନୀତି ୨୦୨୦ ତଥା ଏହାର ଅଧୀନରେ ଗଠିତ ସ୍ବତନ୍ତ୍ର ଶିକ୍ଷା ଜୋନ ଗ୍ରାମାଞ୍ଚଳ ତଥା ଜନଜାତି ଅଞ୍ଚଳରେ ଥିବା ଶିକ୍ଷାର ପାର୍ଥକ୍ୟକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶା ସମେତ ଦେଶର ଭିନ୍ନକ୍ଷମ ଶ୍ରେଣୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବ ବୋଲି ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ମୋଦି ସରକାରଙ୍କ ଥିବା ଅଦମ୍ୟ ପ୍ରତିବଦ୍ଧତାକୁ ନୂଆ ଶିକ୍ଷାନୀତି ସହାୟକ ହେବ। ଆବଶ୍ୟକ ଏବଂ ବିଶ୍ଲେଷଣ ଆଧାରିତ ଶିକ୍ଷା ଏବଂ ଛାତ୍ରୀଛାତ୍ରଙ୍କ ନୂଆ ଚିନ୍ତାଧାରାକୁ ବିକଶିତ କରିବା ପାଇଁ ପ୍ରସ୍ତୁତ ହୋଇଥବା ନୂଆ ନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ। ୧୦+୨ ଢ଼ାଞ୍ଚାରେ ପରିବର୍ତ୍ତନ କରି ଏହା ସ୍ଥାନରେ ୫+୩+୩+୪ ବ୍ୟବସ୍ଥାର ସଂଶୋଧନ କରାଯାଇଛି। ବୈପ୍ଳବିକ ସଂସ୍କାରଭାବେ ପରିଗଣିତ ନୂଆ ଶିକ୍ଷା ନୀତି ଛାତ୍ରୀଛାତ୍ରଙ୍କ ସାମୂହିକ ବିକାଶକୁ ଗୁରୁତ୍ୱ ଦେବ ଓ ପିଲାଙ୍କର ବୌଦ୍ଧିକ କ୍ଷମତାକୁ ବିକଶିତ କରିବ। ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାରେ ରହିଥିବା ଦୂରତାକୁ ଦୂର କରିବ ଏବଂ ଆମ ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବ। ସମାବେଶୀ କାର୍ଯ୍ୟକ୍ରମ ମୋଦି ସରକାରଙ୍କ ମନ୍ତ୍ର ହୋଇଛି ଏବଂ ଭାରତ ସରକାରଙ୍କ ସମସ୍ତ ନୀତି ଢ଼ାଞ୍ଚା ଏହାର ଉଦାହରଣ ବୋଲି ଧର୍ମେନ୍ଦ୍ର କହିଛନ୍ତି।