ଦକ୍ଷତାକୁ ମିଳିବ ନୂଆ ଦିଶା

ଅନୁଗୋଳ ଅଫିସ, ୧୨।୧୦: ବଳିଷ୍ଠ ହେବ ବିଦ୍ୟାଳୟ କ୍ରୀଡ଼ା ଭିତ୍ତିଭୂମି। ପିଲାଙ୍କ ଖେଳ ଦକ୍ଷତାକୁ ମିଳିବ ନୂଆ ଦିଶା। ଫିଫା ସହଯୋଗରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ଫୁଟ୍‌ବଲ୍‌ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ ପ୍ରତିଭାବାନ ଶିକ୍ଷାର୍ଥୀଙ୍କ କ୍ରୀଡ଼ା କ୍ୟାରିୟରକୁ ଦେବ ମହତ୍ତ୍ୱପୂର୍ଣ୍ଣ ମୋଡ଼। ସ୍କୁଲସ୍ତରରୁ ଫୁଟ୍‌ବଲ୍‌ରେ ନୂଆ ପ୍ରତିଭା ସୃଷ୍ଟି କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହୋଇଥିବାରୁ ଏହାକୁ ନେଇ ଅନୁଗୋଳ ଜିଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଦେଖାଦେଇଛି ପ୍ରବଳ ଉତ୍ସାହ। ଜିଲାର ଛାତ୍ରୀଛାତ୍ରମାନେ ଫୁଟ୍‌ବଲ୍‌ ଫର୍‌ ଅଲ୍‌କୁ ସ୍ବାଗତ କରିବା ସହ ଖୁସିବ୍ୟକ୍ତ କରିଛନ୍ତି। ବିଶ୍ୱରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ଏହି କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିବାରୁ ଜିଲାର କ୍ରୀଡ଼ାପ୍ରେମୀ ଓ ପୂର୍ବତନ ଫୁଟ୍‌ବଲ୍‌ ଖେଳାଳିମାନେ ଏହାକୁ ଏକ ଅଭିନବ ଅଭିଯାନ ବୋଲି ଅଭିହିତ କରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ଅନୁଗୋଳ ଜିଲାର ୨୪୮ ବିଦ୍ୟାଳୟରେ ଫୁଟ୍‌ବଲ୍‌ ବଣ୍ଟନ କରାଯାଇସାରିଛି। ଗ୍ରାମାଞ୍ଚଳରେ ଥିବା କ୍ରୀଡ଼ା ପ୍ରତିଭାଧାରୀ ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ଏହି କାର୍ଯ୍ୟକ୍ରମ ଏକ ପ୍ରକୃଷ୍ଠ ମାଧ୍ୟମ ହେବ। କ୍ରୀଡ଼ାର ଉନ୍ନତି ସହ ଜିଲାରୁ ଅନେକ ପ୍ରତିଭା ବାହାରିପାରିବେ। ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଷ୍ଟାଡିୟମରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟରେ ୮ଟି ବ୍ଲକରୁ ୬ଟି ମହିଳା ଦଳ ଓ ୮ଟି ପୁରୁଷ ଦଳ ଭାଗନେବେ। ଏଥିରେ ଜିଲାରୁ ୨୨୪ ଜଣ ଖେଳାଳି ଅଂଶଗ୍ରହଣ କରିବେ। ତେବେ ଫୁଟ୍‌ବଲ୍‌ ଫର୍‌ ଅଲ୍‌ କାର୍ଯ୍ୟକ୍ରମ ଚାଲୁ ହୋଇଥିବାରୁ ଆଗାମୀ ଦିନରେ ଜିଲା ଫୁଟ୍‌ବଲ୍‌କୁ ଆହୁରି ବଳ ମିଳିବ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।

 

ସ୍କୁଲରୁ ଜିଲାସ୍ତରଯାଏ ପ୍ରତିଯୋଗିତା କରାଯାଉ
କେବଳ ଫୁଟ୍‌ବଲ୍‌ ନୁହେଁ, ବିଭିନ୍ନ ଖେଳ ଉପକରଣ ପ୍ରଦାନ ସହ ପିଲାଙ୍କୁ ତାଲିମ ଦେବାର ବ୍ୟବସ୍ଥା ହେଉ। ବିଦ୍ୟାଳୟସ୍ତରରୁ ଜିଲାସ୍ତର ଯାଏ ପ୍ରତିଯୋଗିତା କରାଯାଇ ପ୍ରତିଭା ଚୟନ କରାଗଲେ ଖେଳ ପ୍ରତି ଛାତ୍ରୀଛାତ୍ରଙ୍କ ସ୍ପୃହା ବଢିପାରିବ।
-ସୌରଭ ସେନାପତି, ୯ମ ଶ୍ରେଣୀ, ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ
ଫୁଟ୍‌ବଲ୍‌ ପ୍ରତି ପିଲା ଆଗ୍ରହୀ ହେବେ
ଫୁଟ୍‌ବଲ୍‌ରେ ଅଧିକ ପ୍ରତିଭା ସୃଷ୍ଟି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଫୁଟ୍‌ବଲ୍‌ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ ଏହି ଖେଳ ପ୍ରତି ପିଲାଙ୍କୁ ଅଧିକ ଆଗ୍ରହୀ କରାଇବ। ଦକ୍ଷତା ଅନୁଯାୟୀ ଚୟନ ଓ ଉପଯୁକ୍ତ ତାଲିମ ମିଳିଲେ ଏହା ସଫଳ ହୋଇପାରିବ।
-ଡୁନା ବେହେରା, ଦଶମ ଶ୍ରେଣୀ, ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟ, କଣିହାଁ
ନୂଆ ବଲ୍‌ ପାଇ ଖୁସି
ଆମ ସ୍କୁଲକୁ ଫୁଟ୍‌ବଲ୍‌ ମିଳିସାରିଛି। ନୂଆ ଫୁଟ୍‌ବଲ୍‌ ପାଇ ଆମେମାନେ ବହୁତ ଖୁସି। ଏହାଦ୍ୱାରା ଏହି ଖେଳରୁ ଦୂରେଇ ଯାଉଥିବା ଛାତ୍ରୀଛାତ୍ରମାନେ ପୁଣି ଫୁଟ୍‌ବଲ୍‌ ଖେଳିବାକୁ ମନ ବଳାଇବେ।
-ଚିନ୍ମୟ ରଞ୍ଜନ ନାଏକ, ନବମ ଶ୍ରେଣୀ, ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଆଠମଲ୍ଲିକ
ଖେଳିବାକୁ ଉତ୍ସାହୀ ଅଛୁ
ରାଜ୍ୟ ସରକାରଙ୍କ ପକ୍ଷରୁ ଫୁଟ୍‌ବଲ୍‌ ମିଳିଥିବାରୁ ଏହା ପିଲାମାନଙ୍କୁ ଖେଳ ପ୍ରତି ଅଧିକ ଉତ୍ସାହିତ କରିବ। ଅଧିକରୁ ଅଧିକ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିବ। ନୂଆ ବଲ୍‌ରେ ଖେଳିବାକୁ ଆମେ ଉତ୍ସାହିତ ଅଛୁ।
-ଏଲିନା ବେହେରା, ନବମ ଶ୍ରେଣୀ, ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଆଠମଲ୍ଲିକ
ଖେଳର ପ୍ରଚାର ପ୍ରସାର ହେବ
ଫୁଟ୍‌ବଲ୍‌ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ସହାୟକ ହେବ। ଏହି ଖେଳର ଅଧିକ ପ୍ରଚାର ପ୍ରସାର ମଧ୍ୟ ହେବ। ପୂର୍ବାପେକ୍ଷା ବହୁ ଛାତ୍ରୀଛାତ୍ର ଫୁଟ୍‌ବଲ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିବେ।
-ମିଳନ ବେହେରାମାଳି, ନବମ ଶ୍ରେଣୀ, ପୁରୁଣାମାଣତ୍ରୀ ହାଇସ୍କୁଲ, ଆଠମଲ୍ଲିକ
ଶିକ୍ଷା ସହ ଖେଳ ଜରୁରୀ
ଫୁଟ୍‌ବଲ୍‌ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ। ରାଜ୍ୟରେ ଏହାର ବିକାଶ ଲାଗି ସରକାର ନେଇଥିବା ପଦକ୍ଷେପ ଏହି କ୍ରୀଡ଼ା ପ୍ରତି ରୁଚି ରଖୁଥିବା ଛାତ୍ରୀଛାତ୍ରଙ୍କ ପ୍ରତିଭାକୁ ଅଧିକ ବିକଶିତ କରିବ। ଶିକ୍ଷା ପରି ଖେଳ ମଧ୍ୟ ଜରୁରୀ।
-ବିମଳା ଦଙ୍ଗ, ନବମ ଶ୍ରେଣୀ ଛାତ୍ରୀ ତଥା ଫୁଟ୍‌ବଲ୍‌ ଖେଳାଳି
ଶୃଙ୍ଖଳା ଶିଖାଏ କ୍ରୀଡ଼ା
କ୍ରୀଡ଼ା ଛାତ୍ରୀଛାତ୍ରଙ୍କ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହେବା ସହ ଏହା ସେମାନଙ୍କୁ ଶୃଙ୍ଖଳିତ ହେବାକୁ ଶିକ୍ଷା ଦେଇଥାଏ। ତେଣୁ ଶୃଙ୍ଖଳା ଜ୍ଞାନ ବୃଦ୍ଧି ପାଇଁ ‘ଫୁଟ୍‌ବଲ୍‌ ଫର ଅଲ୍‌’ ପ୍ରେରଣାଦାୟୀ ହେବ।
– ସାବିତ୍ରୀ ନାୟକ, ଦଶମ ଶ୍ରେଣୀ ଛାତ୍ରୀ ତଥା ଫୁଟ୍‌ବଲ୍‌ ଖେଳାଳି
ସମ୍ପର୍କକୁ ମଜଭୁତ କରିବ
ରାଜ୍ୟ ସରକାର ଆରମ୍ଭ କରିଥିବା ନୂଆ କାର୍ଯ୍ୟକ୍ରମ କ୍ରୀଡ଼ା ଭିତ୍ତିଭୂମିକୁ ମଜଭୁତ କରିବ। ଅଧିକ ଛାତ୍ରୀଛାତ୍ର ଏଥିରେ ସାମିଲ ହେଲେ ସେମାନଙ୍କ ମଧ୍ୟରେ ଭାଇଚାରା ଓ ସମ୍ପର୍କ ସୁଦୃଢ଼ ହେବ। ଏକ ପରିବାର ଭଳି ସେମାନେ ଅନୁଭବ କରିବେ।
-ଲକ୍ଷ୍ମୀ ପିଙ୍ଗୁଆ, ଦଶମ ଶ୍ରେଣୀ ଛାତ୍ରୀ ତଥା ଫୁଟ୍‌ବଲ୍‌ ଖେଳାଳି
ମହିଳା ଟିମ୍‌ର ଦକ୍ଷତା ବୃଦ୍ଧି ପାଇବ
ଫୁଟ୍‌ବଲ୍‌ ଖେଳ ପ୍ରତି ସ୍କୁଲ ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି ଦିଗରେ ସରକାରଙ୍କ ଏହି ଉଦ୍ୟମ ସଫଳ ହେଲେ ରାଜ୍ୟ ଓ ଜାତୀୟ ମହିଳା ଫୁଟ୍‌ବଲ୍‌ ଦଳକୁ ଅଧିକ ଦକ୍ଷ ଖେଳାଳି ମିଳିପାରିବେ। ଫଳରେ ଟିମ୍‌ର ଦକ୍ଷତା ବୃଦ୍ଧି ପାଇବ।
– ସରସ୍ବତୀ ଗାଗରାଇ, ଦଶମ ଶ୍ରେଣୀ ଛାତ୍ରୀ ତଥା ଫୁଟ୍‌ବଲ୍‌ ଖେଳାଳି
କ୍ରିକେଟ ଭଳି ଆକର୍ଷଣ ବଢ଼ିବ
ରାଜ୍ୟରେ କ୍ରିକେଟ୍‌ ଅଧିକ ପ୍ରାଧାନ୍ୟ ବିସ୍ତାର କରିଥିବାରୁ ଫୁଟ୍‌ବଲ୍‌କୁ ଛାତ୍ରୀଛାତ୍ରମାନେ ଗୁରୁତ୍ୱ ଦେଉ ନ ଥିଲେ। ହେଲେ ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁ ଫୁଟ୍‌ବଲ୍‌ ପ୍ରତି ଏବେ ଆକର୍ଷଣ ବଢ଼ିବ।
– ଦିବ୍ୟଜ୍ୟୋତି ପ୍ରଧାନ, ନବମ ଶ୍ରେଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ, କିଶୋରନଗର
ଅଧିକ ପ୍ରୋତ୍ସାହନ ମିଳିବ
ରାଜ୍ୟ ସରକାରଙ୍କ ‘ଫୁଟ୍‌ବଲ୍‌ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ ଏକ ସୁନ୍ଦର ପରିକଳ୍ପନା। ଏହାଦ୍ୱାରା ରାଜ୍ୟରେ ଫୁଟବଲ ଖେଳର ବିକାଶ ହୋଇପାରିବ। ଏଥିସହ ଶିକ୍ଷାନୁଷ୍ଠାନରେ ଥିବା ପ୍ରତିଭାବାନ ଖେଳାଳିମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ।
-ପ୍ରଗତି ପାଣିଗ୍ରାହୀ, ନବମ ଶ୍ରେଣୀ ଛାତ୍ରୀ, ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟ
କ୍ରୀଡ଼ା ମନସ୍କ ହେବେ ଛାତ୍ରୀଛାତ୍ର
ସ୍କୁଲ ପିଲାଙ୍କୁ କ୍ରୀଡ଼ା ମନସ୍କ କରିବାରେ ରାଜ୍ୟ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ଅନେକାଂଶରେ ସହାୟକ ହେବ। ବିଦ୍ୟାଳୟଗୁଡ଼ିକୁ ପୂର୍ବାପେକ୍ଷା ଉଚ୍ଚମାନର ଫୁଟ୍‌ବଲ୍‌ ପ୍ରଦାନ କରାଯାଇଥିବାରୁ ଏଥିପାଇଁ ଧନ୍ୟବାଦ।
-ଦିବ୍ୟରଞ୍ଜନ ବେହେରା, ନବମ ଶ୍ରେଣୀ ଛାତ୍ର, ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟ
ବହୁ ପ୍ରତିଭା ଚିହ୍ନଟ ହେବେ
ଫୁଟ୍‌ବଲ୍‌ ଖେଳକୁ ରାଜ୍ୟରେ ଆହୁରି ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ନିଶ୍ଚିତ ସ୍ବାଗତଯୋଗ୍ୟ। ଏହାଦ୍ୱାରା ଅନୁଗୋଳ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ବହୁ ପ୍ରତିଭା ଚିହ୍ନଟ ହୋଇପାରିବେ।
-ବସନ୍ତ କୁମାର ଦାସ, ପୂର୍ବତନ ଫୁଟ୍‌ବଲ୍‌ ଖେଳାଳି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri