ଅନ୍ୟ ରାଜ୍ୟକୁ ବସ୍‌ ସେବା ବନ୍ଦ: ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟକର୍ଫ୍ୟୁ ଜାରି କରିଛନ୍ତି। ପଶ୍ଚିମଓଡ଼ିଶାର ୧୦ଟି ଜିଲାରେ ନାଇଟକର୍ଫ୍ୟୁ ସମେତ ସାପ୍ତାହାନ୍ତ ସଟ୍‌ଡାଉନ ଏବଂ ଅନ୍ୟ ୨୦ଟି ଜିଲାର ସହରାଞ୍ଚଳରେ ନାଇଟକର୍ଫ୍ୟୁ ଲାଗୁ କରାଯାଇଛି। ଏତିସହ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି ରାଜ୍ୟ ସରକାର। ସେହିପରି ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକୁ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ। ଏ ନେଇ ଗୁରୁବାର ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଆସନ୍ତା ୧୯ତାରିଖରୁ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରାଯିବ। କେବଳ ରାଜ୍ୟ ଭିତରେ ବସ୍‌ ଚଳାଚଳ କରିବ। ତେବେ ବସ୍‌ରେ ଛିଡ଼ା ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ, କେବଳ ସିଟ ଯେତିକି ସେହି ସଂଖ୍ୟକ ଯାତ୍ରୀ ଯିବେ। ଟ୍ୟାକ୍ସି ଓ ଅଟୋ ରିକ୍ସାରେ ସର୍ବାଧିକ ୨ ଜଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ। ସିନେମା ହଲରେ ସିଟ କ୍ଷମତାର ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ଅନୁମତି ମିଳିବ। ଅପେରା ଓ ଯାତ୍ରା ଏକ ହଜାର ଲୋକଙ୍କୁ ନେଇ ଚାଲିପାରିବ। ତେବେ ସ୍ଥାନୀୟ ଜିଲାପାଳମାନେ ସ୍ଥିତିକୁ ଚାହିଁ ଏହି ଯାତ୍ରା ଓ ଅପେରା ପାଇଁ ଅନୁମତି ଦେବେ।
ରାଜ୍ୟର ସମସ୍ତ ସରକାରୀ ଅଫିସଗୁଡ଼ିକ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ଭାବେ ନିର୍ଦ୍ଦେଶନାମା ଜାରି କରିବେ । ଏଥିସହ ଘରୋଇ ସଂସ୍ଥାର ଅଫିସ ଓ ବ୍ୟାଙ୍କଗୁଡ଼ିକ ଯଥାସମ୍ଭବ କମ କର୍ମଚାରୀ ହୋଇପାରିବ ସେଥିରେ କାମ କରିବେ। ସେହିପରି ଧାର୍ମିକ, ସାଂସ୍କୃତିକ, ରାଜନୀତିକ ସଭା ଓ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତିକାନ୍ତି ପାଳନ ହେବ। ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି ହୋଇଛି । ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରେଇ ବସି ବ୍ୟବସାୟ କରିବେ। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ସେମାନଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।