ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ସୋମବାର ଦିନ ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ନୀରବ ସତ୍ୟାଗ୍ରହ ପାଳନ କରାଯାଇଛି।
ମହାମଞ୍ଚ ପକ୍ଷରୁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖି ଓଡ଼ିଶାର ସ୍ବାର୍ଥ ସୁରକ୍ଷା ପାଇଁ ଦାବି କରାଯାଇଛି। ନେରେଡି ବ୍ୟାରେଜ ଯୋଗୁ ବଂଶଧାରା ଉପକୂଳବର୍ତ୍ତୀ ଅଞ୍ଚଳରେ ପଛୁଆ ଜଳ ପ୍ରବାହ, ଜଳବନ୍ଦୀ ଓ ବନ୍ୟା ଆଶଙ୍କା ନେଇ ମହାମଞ୍ଚ ଉଦ୍ବେଗ ପ୍ରକାଶ କରିଛି। ଏହି ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଆପତ୍ତି ଉଠାଯାଇଥିବା ବେଳେ ସମ୍ପୃକ୍ତ ସ୍ପେଶାଲ ଲିଭ ପିଟିଶନ ବିଚାରାଧୀନ ଥିବା ଦର୍ଶାଇ, ଜମି ହସ୍ତାନ୍ତର ପୂର୍ବରୁ ସମସ୍ତ ବୈଷୟିକ ଓ ଆଇନଗତ ଦିଗର ସ୍ବାଧୀନ ମୂଲ୍ୟାୟନ ପାଇଁ ମହାମଞ୍ଚ ଦାବି କରିଛି।
ଧର୍ମଘଟରେ ବିଧାୟକ ସତ୍ୟଜିତ ଗମାଙ୍ଗ, ମହାମଞ୍ଚର ସଭାପତି ଗୌର ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସଦସ୍ୟ ମନୋଜ ପାତ୍ର, ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ଜିଆଇଇଟିର ଉପସଭାପତି ଡ. ଚନ୍ଦ୍ରଧ୍ୱଜ ପଣ୍ଡା, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ଜୟପୁରର ବରିଷ୍ଠ କୃଷକ ନେତା ମନୋଜ ପାତ୍ର, ବୁଡ଼ି ଅଞ୍ଚଳର ସାରା ବାଡ଼ିଙ୍ଗା ଏବଂ ବଂଶଧାରା ସୁରକ୍ଷା ମଞ୍ଚ, ପାଲସିଂର ଆବାହକ ବ୍ରଜମୋହନ ନାୟକ ପ୍ରମୁଖ ନେରେଡି ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ମହାମଞ୍ଚର ମୁଖ୍ୟ ଦାବିଗୁଡିକ ମଧ୍ୟରେ ରହିଛି ଜମି ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, ପ୍ରକଳ୍ପର ସମ୍ପୂର୍ଣ୍ଣ ନକ୍ସା ସାର୍ବଜନୀନ କରିବା, ସ୍ବାଧୀନ ବୈଷୟିକ ଅନୁଧ୍ୟାନ ଓ ଜଳବନ୍ଦୀ ସମ୍ଭାବନାର ମୂଲ୍ୟାଙ୍କନ କରିବା, ଚାଷୀଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ଲିଖିତ ପ୍ରତିଶ୍ରୁତି ଓ ଜଳ ଅଧିକାର ସ୍ପଷ୍ଟ କରିବା। ସମସ୍ତ ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ସୁନିଶ୍ଚିତ ନ ହେବା ଯାଏ କୌଣସି ଜମି ହସ୍ତାନ୍ତର ନ କରିବାକୁ ମହାମଞ୍ଚ ଦାବି କରିଛି।
କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ସାହାରା ପରିବାର ପରାମର୍ଶ କେନ୍ଦ୍ରର ମୁଖ୍ୟ ପ୍ରମୋଦ ସାହୁ। ଦାବିଗୁଡ଼ିକର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମବେତ ଭାବେ ଚେତାବନୀ ଦିଆଯାଇଥିଲା। ଶେଷରେ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।