ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର ରସୁୱା (Rasuwa) ଜିଲ୍ଲାକୁ ସମ୍ପୂର୍ଣ୍ଣ ବର୍ୱାଦ କରିଦେଇଛି। ନେପାଳରେ ୨୬ ଅଗଷ୍ଟ ସକାଳେ ଆସିଥିବା ଏହି ଜଳପ୍ରଳୟ ପୂର୍ୱରୁ ଗ୍ଲେସିୟର ଖସିବାର ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଜଣେ ପର୍ଯ୍ୟଟକ ରେକର୍ଡ କରିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ କିପରି ଗ୍ଲେସିୟର ଭାଙ୍ଗି ହ୍ରଦରେ ଖସିପଡ଼ିଲା, ଯାହା ପରେ ପାଣି ଏବଂ ମାଟି-ପଥରର ପ୍ରଳୟ ଆକାଶକୁ ଉଠିଥିଲା ଏବଂ ନେପାଳରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଥିଲା।

ଚୀନର ସିନହୁଆ ନ୍ୟୁଜ ଏଜେନ୍ସି ଅନୁସାରେ, ଗ୍ଲେସିୟର ଭାଙ୍ଗି ହ୍ରଦରେ ପଡ଼ିବାର ଏହି ଦୃଶ୍ୟ ପର୍ଯ୍ୟଟକଙ୍କ କ୍ୟାମେରାରେ ଅଜାଣତରେ କଏଦ ହୋଇଯାଇଥିଲା। ଚୀନ ଏକାଡେମୀ ଅଫ ସାଇନ୍ସେସର ’ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନ ହାଜାର୍ଡସ ଆଣ୍ଡ ଏନଭାଇରନମେଣ୍ଟ’ର ଡାଇରେକ୍ଟର କେଙ୍ଗ ଶିଚାଙ୍ଗ (Keng Shichang) ଏହି ଭିଡିଓର ସତ୍ୟତା ସୱୀକାର କରିଛନ୍ତି। ସେ କହିଛନ୍ତି ଯେ ଭିଡିଓଟି ରିମୋଟ ସେନ୍ସିଂ ଇମେଜ ସହ ସମ୍ପୂର୍ଣ୍ଣ ମେଳ ଖାଉଛି। ଏହି ଗ୍ଲେସିୟର ଭାଙ୍ଗିବା କାରଣରୁ ଚୀନର ଗିରାଙ୍ଗ ପୋର୍ଟରେ ମଧ୍ୟ ଭୂସ୍ଖଳନ (Mudslide) ହୋଇଥିଲା। ଅନ୍ୟପଟେ ନେପାଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ପର୍ଯ୍ୟଟକ ଜଣକ ବରଫାବୃତ ପାହାଡ଼ର ସୁନ୍ଦର ଦୃଶ୍ୟ କ୍ୟାମେରାରେ କଏଦ କରୁଥିଲେ, ମାତ୍ର ସେ ଜାଣିନଥିଲେ ଯେ ସେ ନିଜ କ୍ୟାମେରାରେ ସାକ୍ଷାତ ମୃତ୍ୟୁର ଦୃଶ୍ୟ ରେକର୍ଡ କରୁଛନ୍ତି।

ନେପାଳର ରସୁୱାରେ ବନ୍ୟା ପାଣି କମିବାରେ ଲାଗିଛି, କିନ୍ତୁ ପାଣି ଛାଡ଼ିବା ପରେ ଯେଉଁ ଛାତିଫଟା ଦୃଶ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଭୋଟେକୋଶୀ ନଦୀର ଓସାର ଏତେ ବଢ଼ିଯାଇଛି ସେ ସେଠାରେ ସମୁଦ୍ରର ସୀମା ପରି ଦୃଶ୍ୟମାନ ହେଉଛି। ଜମିଜମା ଏବଂ ଚାଷଜମିର ଚିହ୍ନବର୍ଣ୍ଣ ନାହିଁ, ରାସ୍ତାଘାଟ ଏମିତି ଧୋଇଯାଇଛି ଯେପରି ସେଠାରେ କେବେ ରାସ୍ତା ହିଁ ନଥିଲା!

ହସ୍ପିଟାଲଗୁଡ଼ିକ ବାହାରେ ଲୋକମାନେ ନିରାଶ ଓ ବିକଳ ହୋଇ ଲାଇନରେ ଛିଡ଼ା ହୋଇଛନ୍ତି। ହସ୍ପିଟାଲ ଭିତରେ ଟଙ୍ଗାଯାଇଥିବା ମୃତକଙ୍କ ଫଟୋ ଦେଖି ନିଜର ଆତ୍ମୀୟମାନଙ୍କୁ ଚିହ୍ନି ଲୋକମାନେ ଫାଟିଫାଟି କାନ୍ଦୁଛନ୍ତି। କିଛି ଲୋକ କାଦୁଅ, ପଙ୍କ ଏବଂ ଆବର୍ଜନା ଭିତରୁ ନିଜର ବଞ୍ଚିଯାଇଥିବା ସାମଗ୍ରୀ ଖୋଜୁଥିବାର ଦେଖାଯାଇଛି, କାରଣ ଏବେ ସେମାନଙ୍କୁ ଆଗକୁ ଜୀବନ ବଞ୍ଚାଇବାର ଚିନ୍ତା ଘାରିଛି।

Share