କାଠମାଣ୍ଡୁ,୨୭।୮: ନେପାଳର ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆସିଥିବା ବନ୍ୟା ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରଳୟଙ୍କରୀ ବନ୍ୟାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ବନ୍ୟା ଯୋଗୁ ଗାଁ ପରେ ଗାଁ, ରାସ୍ତା ଏବଂ ପୋଲ ସବୁ ଭାସିଯାଇଛି। ଏହି ବିପର୍ଯ୍ୟୟରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏଭଳି କଠିନ ସମୟରେ ଭାରତ ନିଜ ପଡ଼ୋଶୀ ଦେଶ ନେପାଳର ହାତ ଧରିଛି। ଭାରତୀୟ ବାୟୁସେନା ସହାୟତା ପାଇଁ ଆଗେଇ ଆସିଛି ଏବଂ ଜରୁରୀ ରିଲିଫ ସାମଗ୍ରୀ ନେଇ ବିମାନଗୁଡ଼ିକ ନେପାଳ ଅଭିମୁଖେ ବାହାରିଛି। ବାୟୁସେନାର ଏହି ବିମାନଗୁଡ଼ିକ ନେପାଳ ପାଇଁ କୌଣସି ଦେବଦୂତଠାରୁ କମ୍ ନୁହେଁ।
ଭାରତୀୟ ବାୟୁସେନାର ତିନିଟି ସବୁଠାରୁ ଶକ୍ତିଶାଳୀ ଏବଂ ଭରସାଯୋଗ୍ୟ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J, C-17 ଏବଂ C-130 ପ୍ରସ୍ତୁତ ରହିଛି। C-130J ବିମାନ ୧୦ ଟନ ଜରୁରୀ ରିଲିଫ ସାମଗ୍ରୀ ଏବଂ ଔଷଧ ନେଇ ନେପାଳ ଅଭିମୁଖେ ବାହାରିଛି।
ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ପାଇଁ ଏବେ C-17 ଏବଂ C-130 ବିମାନ ପଠାଯିବ। ଏହି ବିମାନ ମାଧ୍ୟମରେ ରିଲିଫ ସାମଗ୍ରୀ ପଠାଯିବ। ଏଥିସହ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ହେଲିକପ୍ଟରଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଏହି ତିନୋଟି ବିମାନ ଅତ୍ୟନ୍ତ ଶକ୍ତିଶାଳୀ। ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଏବଂ ରନୱେ ନଥିବା ସ୍ଥାନରେ ମଧ୍ୟ ରିଲିଫ ସାମଗ୍ରୀ ପହଞ୍ଚାଇବାରେ ଏଗୁଡ଼ିକ ବେଶ୍ ସହାୟକ ହୋଇଥାଏ।