ଛୋଟ ହେଲେ ବି ଅବହେଳିତ

ବଅଁରପାଳ,୨୪ା୩(ଡି.ଏନ.ଏ.) – ଛୋଟିଆ ରାଜସ୍ବ ଗାଁ। ପରିବାର ସଂଖ୍ୟା ମାତ୍ର ୮। ହେଲେ ୩୦ ଲୋକ ରହୁଥିବା ଏହି ଗାଁରେ ଥିବା ସମସ୍ୟାର ସମାଧାନ କରିପାରୁନି ପ୍ରଶାସନ। ବର୍ଷ ବର୍ଷ ଧରି ଏହି ଗ୍ରାମବାସୀ ପାନୀୟ ଜଳ ପାଇଁ ହଇରାଣ ହରକତ ହେଉଥିବା ବେଳେ ସ୍ବଚ୍ଛ ଭାରତ ଯୋଜନାରେ କରାଯାଇଥିବା ପାଇଖାନା ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ପାଣି ପାଇଁ ପଡ଼ୋଶୀ ଗାଁ ଉପରେ ନିର୍ଭର କରୁଥିବା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତର ମଝିକା ଗ୍ରାମବାସୀ ଖୋଲା ପଡ଼ିଆକୁ ଶୌଚ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।
ରାଜସ୍ବ ଗ୍ରାମ ମଝିକାରେ ପୂର୍ବରୁ ୩ ପରିବାର ରହୁଥିଲେ। ପରବର୍ତ୍ତୀ ସମୟରେ ଏହା ୮ ପରିବାରକୁ ବୃଦ୍ଧି ପାଇଛି। ପାନୀୟ ଜଳ, ଶିକ୍ଷା, ଜଳସେଚନ, ପରିମଳ ସମେତ ବହୁ ସମସ୍ୟା ଏଠାରେ ଲାଗିରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିଶେଷକରି ଖରାଦିନେ ଜଳ କଷ୍ଟ ମୁଖ୍ୟ ସମସ୍ୟା ପାଲଟୁଛି। ଗ୍ରାମର ବହୁ ଦୂରରେ ଥିବା ଏକ ନଳକୂପରୁ କମ୍‌ ପରିମାଣର ପାଣି ବାହାରୁଛି। ଫଳରେ ଗ୍ରାମବାସୀଙ୍କୁ ପଡ଼ୋଶୀ ଗ୍ରାମରୁ ପାଣି ଆଣିବାକୁ ପଡ଼ୁଛି। ପାଇପ୍‌ ଯୋଗେ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲୋକେ ଦାବିକରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା କରାଯାଉ ନାହିଁ। କେବଳ ଦୀର୍ଘ ଦିନ ହେଲା ଜଳ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ କେତୋଟି ପାଇପ୍‌ ପଏଣ୍ଟ ପୋତାଯାଇଛି। ସେହିପରି ପିଲାମାନେ ନିକଟରେ ଥିବା ବଗଚର ଗ୍ରାମ ସ୍କୁଲକୁ ପଢ଼ିବା ପାଇଁ ଯାଉଛନ୍ତି। ଖୋଲା ମଳମୁକ୍ତ ଗ୍ରାମ ଲକ୍ଷ୍ୟରେ ଘରେ ଘରେ ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। କେଉଁଠି ଟାଙ୍କି ନିର୍ମାଣ ହୋଇନାହିଁ ତ ଆଉ କେଉଁ ଟାଙ୍କିରେ ନନ୍ଦ ବସାଯାଇନାହିଁ। ଫଳରେ ମହିଳାମାନେ ଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରଶାସନ ସମସ୍ୟା ଦୂର କରିବା ପାଇଁ ଲୋକେ ଦାବି କରିଛନ୍ତି। ବଅଁରପାଳ ଅତିରିକ୍ତ ବିଡିଓ ମାଧବ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଯଦି ଗ୍ରାମରେ ସମସ୍ୟା ରହିଥାଏ, ତେବେ ତାହାର ଅନୁଧ୍ୟାନ କରାଯାଇ ସମାଧନ କରାଯିବ।
ପଡ଼ୋଶୀ ଗ୍ରାମ ଭରସା
ଗ୍ରାମରେ ମାତ୍ର ୮ ପରିବାର ରହୁଛୁ। ହେଲେ ଛୋଟିଆ ଗାଁରେ ଥିବା ସମସ୍ୟାର ସମାଧାନ କରାଯାଉ ନାହିଁ। ବିଶେଷକରି ପିଇବା ପାଣି ପାଇଁ ପଡ଼ୋଶୀ ଗାଁ ଉପରେ ନିର୍ଭର କରିବାକୁ ପଡ଼ୁଛି। କେତେଜଣଙ୍କୁ ଭତ୍ତା ମଧ୍ୟ ମିଳୁନାହିଁ।
-ସିଦ୍ଧେଶ୍ୱର ନାୟକ, ଗ୍ରାମବାସୀ
ଶୌଚ ପାଇଁ ପଡ଼ିଆକୁ ଯାଉଛୁ
ସରକାରଙ୍କ ପକ୍ଷରୁ ପ୍ରତି ଘରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ଏହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଗ୍ରାମର ମହିଳା ପୁରୁଷମାନେ ବାଧ୍ୟ ହୋଇ ନିକଟସ୍ଥ ପଡିଆକୁ ଶୌଚ କରିବାକୁ ଯାଉଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆଗଲେ ଭଲ ହୁଅନ୍ତା।
-ବାସନ୍ତୀ ନାୟକ, ଗ୍ରାମବାସୀ
ସରକାର ଦୃଷ୍ଟି ଦିଅନ୍ତୁ
ସବୁ ଦୃଷ୍ଟିରୁ ଏହି ରାଜସ୍ବ ଗ୍ରାମ ଅବହେଲିତ। ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ ପିଇବା ପାଣିର ସୁବିଧା କରାଯାଉ ନାହିଁ। ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେଜଣଙ୍କ ବୟସ ୬୫ରୁ ଅଧିକ ହୋଇଥିଲେ ମଧ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଉ ନାହିଁ।
-କେଶବ ନାୟକ, ଗ୍ରାମବାସୀ
ଉନ୍ନତି ପ୍ରତି ଧ୍ୟାନ ଦେବି
ଗ୍ରାମରେ ଥିବା ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଛି। ଗ୍ରାମବାସୀଙ୍କୁ ପାଇପ୍‌ ପାଣି ଯୋଗାଇ ଦେବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ପାଇଖାନା ତିଆରି ଶେଷହୋଇଛି। ଲୋକେ କିଭଳି ପଡିଆକୁ ନ ଯାଇ ପାଇଖାନା ବ୍ୟବହାର କରିବେ ସେ ନେଇ ଉଦ୍ୟମ କରିବି।
-ଉତ୍ସବ ଦେହୁରୀ, ବୁଢ଼ାପଙ୍କ ସରପଞ୍ଚ