Categories: ଖେଳ

ପଦକ ପକ୍କା କଲେ ନୀତୁ

ନୂଆଦିଲ୍ଳୀ,୨୩ା୩(ପି.ଟି): ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ନୀତୁ ଘଂଘାସ। ୪୮ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନୀତୁ ପ୍ରଥମ ଖେଳାଳି ଭାବରେ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଅନ୍ୟୁନ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

୨୨ ବର୍ଷୀୟା ହରିୟାଣାର ଏହି ବକ୍ସର ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମ୍ୟାଚ୍‌ ଜିତି ନେଇଥିଲେ। ନୀତୁଙ୍କ ପ୍ରଦର୍ଶନ ଏତେ ଭୟଙ୍କର ରହିଥିଲା ଯେ ଦ୍ୱିତୀୟ ରାଉଣ୍ଡରେ ହିଁ ଆରଏସ୍‌ସି(ରେଫରି ଷ୍ଟପ୍‌ସ କଣ୍ଟେଷ୍ଟ) ବଳରେ ସେ ବିଜୟୀ ହୋଇଥିଲେ। କ୍ୱାର୍ଟର ଫାଇନାଲରେ ନୀତୁ ଜାପାନର ମାଡୋକା ଓ୍ବାଡାଙ୍କୁ ପରାସ୍ତ କରି ପଦକ ପକ୍କା କରିଛନ୍ତି । ବୁଧବାର ମ୍ୟାଚ୍‌ ଆରମ୍ଭରୁ ପଞ୍ଚ ପରେ ପଞ୍ଚ ମାରି ସେ ବିପକ୍ଷ ଖେଳାଳିଙ୍କୁ ଚାପରେ ରଖିଥିଲେ। ଏହାପରେ ଦ୍ୱିତୀୟ ରାଉଣ୍ଡରେ ରେଫରୀ ହିଁ ତାଙ୍କୁ ବିଜୟୀ ଘୋଷିତ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ନୀତୁ ନିଜର ସମସ୍ତ ମ୍ୟାଚ୍‌ ଆରଏସ୍‌ସି ବଳରେ ବିଜୟୀ ହୋଇଛନ୍ତି। ନୀତୁଙ୍କ ବ୍ୟତିତ ନିଖତ ଜରିନ୍‌(୫୦), ସାକ୍ଷୀ ଚୌଧାରୀ(୫୨), ମନୀଷା ମାଉଁ(୫୭), ଜସ୍ମିନ୍‌ ଲମ୍ବୋରିଆ(୬୦), ଲଭଲିନା ବୋର୍ଗୋହେନ୍‌(୭୫), ସାଓ୍ବିତି ବୁରା(୮୧ କିଗ୍ରା) ଓ ନୂପୁର ସିଓରାନ(୮୧+ କିଗ୍ରା) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Share