ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଦେଶରେ ଡାକ୍ତରୀ ଚୟନ ପ୍ରବେଶିକା ପରୀକ୍ଷା(ଏନଇଇଟି) ପେପର ଲିକ ଘଟଣା ଏବେ ଚର୍ଚ୍ଚାରେ ଥିବାବେଳେ ଆମ ଆଦମୀ ପାର୍ଟି(ଏଏପି) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛି। ଏହାକୁ ନେଇ ଗୁରୁବାର ଏଏପି ବରଗଡ଼ ଜିଲା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦଳର କାର୍ଯ୍ୟକର୍ତ୍ତାମାନେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ମଣ୍ଡଳୀରୁ ବହିଷ୍କାର କରନ୍ତୁ ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଦାବି କରିଛନ୍ତି। ଅନ୍ୟପଟେ ଏହି ପରୀକ୍ଷାରେ ୨୩ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲି ଯାଇଛି ଏବଂ ସିବିଏସଇ ପରୀକ୍ଷାରେ ମଧ୍ୟ ଅନିୟମିତତା ସାମ୍ନାକୁ ଆସିଥିବା ଯୋଗୁ ତସରକାର ଓ ବ୍ୟବସ୍ଥାର ଅପାରଗତା ପଦାରେ ପଡ଼ିଛି। ଫଳରେ ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାରିୟମ ବାର୍ଲା, ଜୟକ୍ରିଷ୍ଣା ଛୁରିଆ, ଶାହରୁଖ ଲୋଧିଆ, ମିଲୁ ନାଗ, ଆଇନଜୀବୀ ଏମ୍ଡି ମୋଇନ, ସରିତା ସୁନା, ସୂର୍ଯ୍ୟ ଭୋଇ, କୈକେୟୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।