NDA Vs INDIA : ଏବେ ନିର୍ବାଚନ ହେଲେ କିଏ ଗଢିବ ସରକାର? ସାମ୍ନାକୁ ଆସିଲା ଚମକାଇଦେଲା ଭଳି ନମ୍ବର

ନୂଆଦିଲ୍ଲୀ,୨୮।୮: ଆଜି ଯଦି ଦେଶରେ ଲୋକ ସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣି ଥରେ NDA ସରକାର ଗଠନ କରିପାରେ ବୋଲି MOTN ସର୍ଭେରେ ଆକଳନ କରାଯାଇଛି। ସର୍ଭେ ଅନୁସାରେ NDAକୁ ୩୨୬ଟି ଲୋକ ସଭା ଆସନ ମିଳିପାରେ ଏବଂ ଏହାର ଭୋଟ ଶେୟାର ପ୍ରାୟ ୪୫ ପ୍ରତିଶତ ରହିପାରେ। ଏହି ସର୍ଭେରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ମତାମତ ନିଆଯାଇଥିବା ଦାବି କରାଯାଇଛି। ଆକଳନ ଅନୁସାରେ, ଭାଜପା ଏକାକୀ ୨୬୧ଟି ଆସନ ଜିତିପାରେ। ଅର୍ଥାତ୍‌ ଦଳ ଏକାକୀ ଭାବେ ୨୭୨ଟି ଆସନର ବହୁମତ ସୀମାରୁ ତଳେ ରହିବ। ଅନ୍ୟପଟେ କଂଗ୍ରେସର ଆସନ ସଂଖ୍ୟା ବଢ଼ି ୧୦୬ରେ ପହଞ୍ଚିପାରେ। INDIA ମେଣ୍ଟକୁ ମୋଟ ୧୮୫ଟି ଆସନ ମିଳିବାର ଆକଳନ କରାଯାଇଛି। ସର୍ଭେରେ ଉତ୍ତରପ୍ରଦେଶର ଚିତ୍ର ମଧ୍ୟ ରୋଚକ ରହିଛି। ରାଜ୍ୟରେ INDIA ମେଣ୍ଟ ୪୧ଟି ଆସନ ଜିତିପାରେ ବୋଲି ଆକଳନ ହୋଇଥିବା ବେଳେ NDAକୁ ୩୮ଟି ଆସନ ମିଳିପାରେ। ଯୁବ ବେକାରୀ, ପରୀକ୍ଷାରେ ସ୍ବଚ୍ଛତା ଏବଂ UGC ନୀତିକୁ ନେଇ ଭୋଟରଙ୍କ ଚିନ୍ତା ଉତ୍ତରପ୍ରଦେଶରେ ନିର୍ବାଚନୀ ସମୀକରଣକୁ ପ୍ରଭାବିତ କରୁଥିବା ସର୍ଭେରେ ଦର୍ଶାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ NDAକୁ ପୂର୍ବାପେକ୍ଷା ଭଲ ଫଳ ମିଳିବାର ସଙ୍କେତ ମିଳିଛି। ଜାତୀୟ ନେତୃତ୍ୱକୁ ନେଇ ମଧ୍ୟ ସର୍ଭେରେ ମତାମତ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ ହାର ୫୮ ପ୍ରତିଶତ ଥିବା ଆକଳନ କରାଯାଇଛି। ରାଜନୈତିକ ସ୍ଥିରତାକୁ ମୋଦି ସରକାରଙ୍କ ଏକ ପ୍ରମୁଖ ଶକ୍ତି ଭାବେ ଲୋକେ ଦେଖୁଥିବା ବେଳେ ମୁଦ୍ରାସ୍ଫୀତି ଓ ବେକାରୀ ଏବେ ମଧ୍ୟ ଲୋକଙ୍କ ପ୍ରମୁଖ ଚିନ୍ତା ବୋଲି ସର୍ଭେରୁ ଜଣାପଡ଼ିଛି। ବିରୋଧୀ ଶିବିରରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ ସମ୍ପର୍କିତ ରେଟିଂରେ ରାହୁଲ ଗାନ୍ଧୀ ଆଗରେ ଥିବା ଦର୍ଶାଯାଇଛି। ସର୍ଭେ ଆଧାରରେ ବିଭିନ୍ନ ରାଜ୍ୟର ଆଞ୍ଚଳିକ ରାଜନୈତିକ ସମୀକରଣ ଏବଂ ଭୋଟରଙ୍କ ପସନ୍ଦ ନେଇ ବିଶ୍ଳେଷଣ ମଧ୍ୟ କରାଯାଇଛି।

Odisha’s No.1 Odia Daily

Share
Tags: bjpnda