ନୟାପଲ୍ଲୀ ଶ୍ମଶାନ, ଖେଳପଡ଼ିଆକୁ ନେଇ ମୁହାଁମୁହିଁ

ଭୁବନେଶ୍ୱର,୧୯।୬: ବିଏମ୍‌ସି ଓ୍ବାର୍ଡ ନଂ.୩୭ରେ ଥିବା ନୟାପଲ୍ଲୀ ଶ୍ମଶାନ ଓ ଖେଳ ପଡ଼ିଆ ସତ୍ତା ହରାଇବାକୁ ବସିଛି। କଳିିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ ପାଇଁ ଷ୍ଟାଡିୟମ ପ୍ରଶାସନ ଶୁକ୍ରବାର ଉକ୍ତ ଜମିକୁ ଦଖଲ କରିବାକୁ ଆସିଥିବାବେଳେ ବେହେରାସାହି, ଭୋଇସାହି ଓ ଶବରସାହିର ଶତାଧିକ ଗ୍ରାମବାସୀ ତୀବ୍ର ବିରୋଧ କରିବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ପୋଲିସ ପ୍ରଶାସନ ସପକ୍ଷରେ କହିବାରୁ ସ୍ଥିତି ଆହୁରି ବିଗିଡି ଯାଇଥିଲା। ଉକ୍ତ ଜମିକୁ ସ୍ଥାନୀୟ ଅଞ୍ଚଳର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଓ ପିଲା ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ହେଲେ କଳିଙ୍ଗ ଷ୍ଟାଡିୟମକୁ କେବେ ଆଉ କିପରି ଏହି ଜମି ହସ୍ତାନ୍ତର କରାଯାଇଛି ତାହାର କାଗଜପତ୍ର ଦେଖାଇବାକୁ ଗ୍ରାମବାସୀ ଜିଦ୍‌ କରିଥିଲେ। ସେମାନେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୭୮ରେ ଶ୍ମଶାନ ଓ ଖେଳ ପଡ଼ିଆ ଭାବେ ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ଦେଇଥିଲେ। କଳିଙ୍ଗ ଷ୍ଟାଡିୟମକୁ ପ୍ରାତଃ ଭ୍ରମଣରେ ଯିବାକୁ ବାରଣ କରାଯିବା ପରେ ସ୍ଥାନୀୟ ବାସିନ୍ଦା ଉକ୍ତ ପଡ଼ିଆ ଉପରେ ନିର୍ଭର କରୁଛନ୍ତି। ଆଦିବାସୀ ପିଲାମାନେ ପ୍ରତିଦିନ ଫୁଟବଲ ଓ ବିଭିନ୍ନ ଖେଳ ଖେଳୁଛନ୍ତି। ଉକ୍ତ ଜମିକୁ କାହାକୁ ହସ୍ତାନ୍ତର ନ କରିବାକୁ ଗ୍ରାମବାସୀ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ସାମାଜିକ କର୍ମୀ ଅର୍ଜୁନ ବେହେରା, ମନୋରଞ୍ଜନ ମହାନ୍ତି, କୃଷ୍ଣଚନ୍ଦ୍ର ପୃଷ୍ଟି, ପ୍ରଦୀପ କୁମାର ଦାସ, ସଂଯୁକ୍ତା ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଓ ଭୁବନେଶ୍ୱର ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।