ବିବାହ ବୟସରେ ଭଉଣୀ-ଭାଇଙ୍କ ବୋଝ ସମ୍ଭାଳୁଛନ୍ତି ନୟନୀ

କର୍ଲାମୁଣ୍ଡା,୧ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ଓଡ଼ିଆମୁଣ୍ଡା ଗ୍ରାମର ମା-ବାପା ଛେଉଣ୍ଡ ତିନି ଭଉଣୀ ଭାଇ ବହୁ କଷ୍ଟରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଏହି ଗ୍ରାମର କରୁଣା ବାଗ ତାଙ୍କ ସ୍ତ୍ରୀ ମଲ୍ଲୀ ବାଗ,ବଡ଼ ଝିଅ ନୟନୀ(୨୨) ପୁଅ ପପୁ (୧୫) ସାନ ଝିଅ ଅଙ୍କିତା(୧୨)ଙ୍କୁ ନେଇ ସଂସାର। ସେ ମଜୁରୀ କାମ କରି ପରିବାର ପୋଷଣ କରୁଥିଲେ। ତେବେ କରୁଣା କରୋନା ସମୟରେ ରୋଗରେ ଆକ୍ରାନ୍ତ ହୋଇ ୨୦/୦୫/୨୦୨୧ରେ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ବିୟୋଗ ପରେ ତିନି ସନ୍ତାନଙ୍କୁ ନେଇ ବହୁ କଷ୍ଟରେ ଚଳୁଥିଲେ ମଲ୍ଲୀ। ଏଥିରେ ବି ଦଇବ ସହିଲାନି। ପରିବାର ବୋଝ ଉପରେ ଭାବି ଭାବି ରୋଗରେ ପୀଡ଼ିତ ହୋଇ ଶେଷରେ ଗତ ମାସ ୭ ତାରିଖରେ ଆରପାରିକୁ ଚାଲିଗଲେ ମଲ୍ଲୀ। ଏବେ ଝିଅ ନୟନୀଙ୍କ କାନ୍ଧରେ ଭଉଣୀ-ଭାଇଙ୍କ ବୋଝ। ଅର୍ଥ ଅଭାବରୁ ପପୁ ଯୁକ୍ତ ଦୁଇରେ ନାମ ଲେଖାଇ ପାରି ନ ଥିବା ଜଣାପଡ଼ିଛି। ଏନେଇ ବିଡିଓ ସିଦ୍ଧେଶ୍ୱର ମେହେରଙ୍କ ସହିତ ଆଲୋଚନା କରିବା ପରେ ଏହି ତିନି ଭଉଣୀ-ଭାଇଙ୍କ ପାଇଁ ସରକାରଙ୍କ ଯାହା ବ୍ୟବସ୍ଥା ରହିଛି। ତାକୁ ନିଶ୍ଚୟ ପାଇବେ ବୋଲି କହିଛନ୍ତି। ଅନ୍ୟ ପଟେ ଏହି ୩ ଭଉଣୀ-ଭାଇଙ୍କ ଦାୟିତ୍ୱ ନେବାକୁ କେହି ନ ଥିବାରୁ ତୁରନ୍ତ ସରକାରୀ ସହଯୋଗ ଯୋଗାଇ ଦେବାକୁ ନାଏବ ସରପଞ୍ଚ ରାଧେଶ୍ୟାମ ବାଗ ପ୍ରଶାସନଠାରେ ଅନୁରୋଧ କରିଛନ୍ତି।