ହାଇକୋର୍ଟରେ ନୟାଗଡ଼ ଚିନିକଳର ଶୁଣାଣି: ସତ୍ୟପାଠ, ସମ୍ପତ୍ତି ଆକଳନ ତାଲିକା ଦାଖଲ

ନୟାଗଡ଼ ଅଫିସ,୫।୨: ହାଇକୋର୍ଟରେ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଲୀଧର ଓ ବିଚାରପତି ବିଶ୍ୱରଞ୍ଜନ ରଥଙ୍କୁ ନେଇ ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ନୟାଗଡ଼ ଚିନିକଳର ଭିଡିଓ କନ୍‌ଫରେନ୍ସ ମୋଡ୍‌ରେ ଶୁଣାଣି କରିଛନ୍ତି। ନୟାଗଡ଼ ଜିଲାପାଳ ପୋମା ଟୁଡୁ ଓ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ସବିର ପଣ୍ଡା ଓକିଲଙ୍କ ଜରିଆରେ ଜାନୁୟାରୀ ୨୮ରେ ହୋଇଥିବା ଚିନିକଳ ସମ୍ପତ୍ତି ଆକଳନ ତାଲିକା ଦାଖଲ ସହ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିଥିଲେ। ଅପରପକ୍ଷରେ ଜିଲାପାଳ ଓ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକଙ୍କ ସତ୍ୟପାଠ ଉପରେ ସାନି ଜବାବ ଦାଖଲ କରିବା ପାଇଁ ନୟା ସୁଗାର କମ୍ପ୍ଲେକ୍ସ ଲିମିଟେଡର ମାଲିକ ତ୍ରୈଲୋକ୍ୟ ମିଶ୍ର ଖଣ୍ଡପୀଠଙ୍କ ଅନୁମତି ଲୋଡିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨କୁ ସ୍ଥିର ହୋଇଛି। ତେବେ ଶୁଣାଣି ଚାଲିଥିବା ସମୟରେ ନୟାଗଡ଼ର ଆଇନଜୀବୀ ରଣଜିତ ଦାଶଙ୍କ ଦ୍ୱାରା ୧୮୬୯/୧।୨।୨୦୨୧ର ଦାଖଲ ହୋଇଥିବା ଇଣ୍ଟର ଭେନ୍‌ସନ ପିଟିଶନକୁ ଖଣ୍ଡପୀଠ ବିଚାର ପାଇଁ ଗ୍ରହଣ କରିବା ସହ ପ୍ରତିପକ୍ଷ ୟୁକୋ ବ୍ୟାଙ୍କ, ଜିଲାପାଳ, ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକଙ୍କୁୁ ନୋଟିସ୍‌ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ ଧାର୍ଯ୍ୟ ହୋଇଥିବାବେଳେ ସେହିଦିନ ଇଣ୍ଟରଭେନ୍‌ସନ ପିଟିଶନର ଜବାବ ଦାଖଲ ପାଇଁ କୁହାଯାଇଛି।
ଆଇନଜୀବୀ ରଣଜିତ୍‌ ଦାଶ ହାଇକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି, ନୟାଗଡ଼ ଜିଲାରେ ୩୦ହଜାର ଆଖୁଚାଷୀ ପାଣିପୋଇଲାସ୍ଥିତ ନୟାଗଡ଼ ଚିନିକଳ ଉପରେ ନିର୍ଭରଶୀଳ ଥିଲେ। ଏଥିରେ ୧ଲକ୍ଷ ୨୦ହଜାର ଟନ ଆଖୁ ପେଡ଼ା ଯାଉଥିଲା। ଜିଲାର ହଜାର ହଜାର ଚାଷୀଙ୍କ ଅର୍ଥନୈତିକ ଅବସ୍ଥାରେ ସ୍ବଚ୍ଛଳତା ଆସିଥିଲା। ଚିନିକଳ ବନ୍ଦ ହେବାପରଠାରୁ ଆଖୁ ଚାଷୀ ଓ ଚିନିକଳ କର୍ମଚାରୀ ବକେୟା ପ୍ରାପ୍ୟ ପାଇ ନାହାନ୍ତି। ଏପରି କି ସୁରକ୍ଷା ଅଭାବରୁ ଚିନିକଳରୁ ୨୫ କୋଟି ଟଙ୍କାର ପ୍ଲାଣ୍ଟ ମେଶିନାରୀ ଚୋରି ହୋଇଯାଇଛି। ଏହି ମୂଲ୍ୟବାନ ଯନ୍ତ୍ରାଂଶ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ ସହ ଚିନିକଳରେ ପୋଲିସ ମୁତୟନ କରି ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ଏଯାବତ୍‌ କାର୍ଯ୍ୟକାରୀ ହୋଇ ନାହିଁ। ଇତିମଧ୍ୟରେ ଆଖୁଚାଷୀମାନେ କାମ ହରାଇ ଦାଦନ ଚାଲିଗଲେଣି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଜିଲାପାଳଙ୍କ ବିରୋଧରେ ଉତ୍ତରଚ୍‌ଦାୟିତ୍ୱ ଧାର୍ଯ୍ୟ କରିବା ପାଇଁ ଇଣ୍ଟରଭେନ୍‌ଶନ ପିଟିଶନରେ ଉଲ୍ଲେଖ ରହିଛି। ପୁଣି ୨୫କୋଟି ଟଙ୍କାର ଯନ୍ତ୍ରାଂଶ ଚୋରିର ତଦାରଖ ପାଇଁ ହାଇକୋର୍ଟଙ୍କ ଦ୍ୱାରା ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ, ଚିନିକଳକୁ ପୁନଃରୁଦ୍ଧାର କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଆଖୁନ୍‌ଚାଷୀ ଓ ଚିନିକଳ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ପାଇବାର ବ୍ୟବସ୍ଥା କରିବାକୁ ଆବେଦନରେ ଦର୍ଶାଯାଇଛି।