ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ଇଚ୍ଛା ଡ୍ୟାମ୍‌ ନିର୍ମାଣ ସାରିବାକୁ ଅନୁରୋଧ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ସୁବର୍ଣ୍ଣରେଖା ନଦୀ ଉପରେ ଥିବା ବହୁମୁଖୀ ପ୍ରକଳ୍ପ ଚାନ୍ଦିଲ ଡ୍ୟାମ୍‌ର ବନ୍ୟା ନିୟନ୍ତ୍ରଣ ଆଧୁନିକୀକରଣ ଏବଂ ଇଚ୍ଛା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାଡ଼ଖଣ୍ଡ ପ୍ରତିପକ୍ଷ ହେମନ୍ତ ସୋରେନ୍‌ଙ୍କ ସହଯୋଗ ଲୋଡ଼ିଛନ୍ତି। ଶନିବାର ଏ ନେଇ ନବୀନ ସୋରେନ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଇଚ୍ଛା ଡ୍ୟାମ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସୁବର୍ଣ୍ଣରେଖା ଜଳ ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ ଜଳସେଚନ କରାଯାଇପାରିବ। ଝାଡ଼ଖଣ୍ଡ ସରକାର ଇଚ୍ଛା ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏନେଇ ଓଡ଼ିଶା ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି କହିଛନ୍ତି। ଡ୍ୟାମ୍‌ର ଓଡ଼ିଶା ଭାଗ ଖର୍ଚ୍ଚ ନିର୍ଦ୍ଧାରିତ ସମୟରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଚାନ୍ଦିଲ ଡ୍ୟାମ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦୀର୍ଘ ବର୍ଷ ହେବ ଶେଷ ହୋଇଛି। କିନ୍ତୁ ଥଇଥାନ ଓ ପୁନର୍ବାସ (ଆର ଆଣ୍ଡ ଆର) ମାମଲା ଯୋଗୁ ମୌସୁମୀ ସମୟରେ ଜଳଭଣ୍ଡାରରେ ଜଳସ୍ତର ୧୯୨ ମିଟର ରହିବା ଜାଗାରେ ୧୮୧.୫୦ ମିଟର ରହୁଛି। ମୌସୁମୀ ସମୟରେ ଜଳଭଣ୍ଡାରରେ ପୂର୍ଣ୍ଣମାତ୍ରାରେ ଜଳ ରଖାଯାଇ ପାରୁ ନ ଥିବାରୁ ଓଡ଼ିଶାକୁ ଅନେକ ବନ୍ୟା ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ଇଚ୍ଛା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରାଗଲେ ଉଭୟ ରାଜ୍ୟର ଚାଷୀମାନଙ୍କୁ ଫାଇଦା ମିଳିବ।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାର ଚାନ୍ଦିଲ ଡ୍ୟାମ୍‌, ଇଚ୍ଛା ଡ୍ୟାମ୍‌, ଗାଲୁଡିହି ବ୍ୟାରେଜ୍‌ ନିର୍ମାଣ ପାଇଁ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ୧୦୨୬.୯୧ କୋଟି ଟଙ୍କା ଝାଡ଼ଖଣ୍ଡ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହାଛଡ଼ା ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ପାଇଁ ମୌସୁମୀ ସମୟରେ ଚାନ୍ଦିଲ ଡ୍ୟାମ୍‌ର ପୂର୍ଣ୍ଣ ଜଳଧାରଣ କ୍ଷମତାକୁ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।