ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ବିରୋଧ କରିଛନ୍ତି। ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ତାହାର ତଦନ୍ତକରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟର ସବୁ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।
ନବୀନ ତାଙ୍କ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଘଟଣାସ୍ଥଳରୁ ରିପୋର୍ଟ ଯାହା ଦୃଷ୍ଟିକୁ ଆସିଛି, ଆଠଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକ୍‌ର ପଞ୍ଚାୟତ ସମିତି ବୈଠକରେ ଯୋଗଦେବା ଲାଗି ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯିବା ସମୟରେ ଭାଜପା ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହା ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିରୋଧ ନୁହେଁ ବରଂ ଜଣଙ୍କୁ କ୍ଷତି ପହଞ୍ଚାଇବା ଭଳି ଉଦ୍ୟମ ବୋଲି କୁହାଯିବ। ଯେତେବେଳେ ଜଣେ ନିର୍ବାଚିତ ଜନପ୍ରତିନିଧି ଗଣତାନ୍ତ୍ରିକ ଦାୟିତ୍ୱ ତୁଲାଇବା ସମୟରେ ଏଭଳି ଆକ୍ରମଣର ଶିକାର ହେଉଛନ୍ତି ଏବଂ ସୁରକ୍ଷିତ ନୁହନ୍ତି ସେଠାରେ ସାଧାରଣ ଲୋକମାନଙ୍କ ସୁରକ୍ଷା ଅନିଶ୍ଚିତତା ଭିତରେ ରହିଥିବା ବୁଝିହେଉଛି ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

Share