୩୧ରେ ନବୀନ କରିବେ ପ୍ରଚାର

ଭୁବନେଶ୍ୱର,୨୬।୧୦(ବ୍ୟୁରେ): ଧାମନଗର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ରହିଛି। ଆସନ୍ତା ୩ ତାରିଖରେ ହେବାକୁ ଥିବା ମତଦାନ ନିମନ୍ତେ ନଭେମ୍ବର ୧ ତାରିଖ ସା ୬ଟା ସୁଦ୍ଧା ପ୍ରଚାର ଶେଷ ହେବ। ୩୧ ତାରିଖରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ ମୋଡ୍‌ରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଧାମନଗର ଓ ତିହିଡ଼ି ବ୍ଲକ ସମେତ ଧାମନଗର ଏନ୍‌ଏସି ଅଞ୍ଚଳରେ ଏଲ୍‌ଇଡି ଲଗାଯାଇ ନବୀନଙ୍କ ପ୍ରଚାରକୁ ସଫଳ କରାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନବୀନ ଭର୍ଚୁଆଲ ମୋଡ୍‌ରେ ୨ ଦିନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିପାରନ୍ତି ବୋଲି ସୂଚନା ମିଳିଛି। ତେବେ ଧାମନଗର ଉପନିର୍ବାଚନ ଫଳାଫଳ ଦାୟିତ୍ୱରେ ଥିବା ବିଜେଡିର କିଛି ନେତାଙ୍କ ପାଇଁ ଉଭୟ ସମ୍ମାନ ଓ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ଚର୍ଚ୍ଚା ହେଉଥିବାରୁ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଜିତିବାକୁ ଯେନତେନ ପ୍ରକାରେ ସୁନିଶ୍ଚିତ କରିବାକୁ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ପୂରା ଦମ୍‌ରେ ଲାଗି ପଡ଼ିଥିବା ଜଣାପଡ଼ିଛି।