ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହେଲେ ନବୀନ, କହିଲେ ଗଞ୍ଜାମରେ…

ହିଞ୍ଜିଳିକାଟୁ,୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବନ୍ୟାରେ ଉଜୁଡ଼ି ଯାଇଥିବା ଚାଷଜମି ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇଛନ୍ତି ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ। ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ଅର୍ଣ୍ଣବରେ ଆସିଥିବା ବନ୍ୟା ଗଞ୍ଜାମବାସୀଙ୍କ ଘଟାଇ ଥିବା କ୍ଷତି ଅକଳ୍ପନୀୟ ଅଟେ ବୋଲି କହିଛନ୍ତି ନବୀନ। ସରକାର କ୍ଷତିଗ୍ରସ୍ତ ଚାଷୀ ଓ ଲୋକଙ୍କୁ ସହାୟତା ପାଇଁ ଦାବି କରିଛନ୍ତି।

ନବୀନଙ୍କ ଦିନିକିଆ ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତ ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଶେରଗଡରୁ ଆରମ୍ଭ ହୋଇଥିଲା। ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ହିଞ୍ଜିଳିକାଟୁ ପୌରାଞ୍ଚଳରେ ବଇଞ୍ଚବଣିଆ, ବ୍ଲକର ଖଣ୍ଡରା ଛକ ଓ ନୂଆ ବୁରୁପଡ଼ା ଛକରେ ଅପେକ୍ଷା କରିଥିବା କ୍ଷତିଗ୍ରସ୍ତ ଚାଷୀ ଓ ଲୋକଙ୍କ ପାଖରେ ପହଞ୍ଚି କଥା ହୋଇଥିଲେ। ଚାଷୀଙ୍କ ଉଜୁଡି ଯାଇଥିବା ଫସଲ ଦେଖାଇ ସେମାନଙ୍କ ଦୁର୍ଦ୍ଦଶା ଜଣାଇଥିଲେ। ଏହାସହ ବୁରୁପୋଡ଼ା ଗ୍ରାମର ଯୁବ ଇଞ୍ଜିନିୟରିଂ ଛାତ୍ର ବିଭୂତି ପଟ୍ଟନାୟକ ବନ୍ୟାଜଳରେ ଭାସିଯାଇ ପ୍ରାଣ ହରାଇଥିବା ଘଟଣାରେ ତାଙ୍କ ବାପା ଯିଶୁ ପଟ୍ଟନାୟକଙ୍କୁ ଭେଟିଥିଲେ ନବୀନ। ଦୁର୍ଦ୍ଦଶା ପୀଡି଼ିତଙ୍କ ଆଖିରେ ଲୁହ ଦେଖି ଭାବବିହ୍ବଳ ହୋଇଥିଲେ ନବୀନ ପଟ୍ଟନାୟକ।
ବନ୍ୟାରେ ଚାଷୀଙ୍କ ଫସଲ ନଷ୍ଟ ଓ ଜୀବନହାନି ଘଟଣାରେ ଦୁଃଖ ପ୍ରକାଶ କରି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି ଜଣାଇବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଜୁ ଯୁବ ଛାତ୍ର ବିଜେଡି କର୍ମୀ ଶତାଧିକ ବାଇକ୍‌ରେ ନବୀନଙ୍କ ଗସ୍ତ ବେଳେ ସାମିଲ ହୋଇଥିଲେ। ବନ୍ୟାଞ୍ଚଳରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିଜେଡିର ଆଗଧାଡିର ବହୁ ନେତା ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share