ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱର,୩୧।୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବନ୍ୟା ଯୋଗୁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ରହିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। ସେହିପରି ଜଳମଗ୍ନ ଗ୍ରାମର ପରିବାରବର୍ଗଙ୍କୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରାଯିବ। ଘର ଭାଙ୍ଗିଥିବା ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍‌ ମିଳିବ। ଏସଡିଆରଏଫ ନିୟମ ଅନୁଯାୟୀ ଘରଭଙ୍ଗା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୫ଦିନ ମଧ୍ୟରେ ଜିଲାପାଳମାନେ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ। ଏହାର ସପ୍ତାହ ମଧ୍ୟରେ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ। ଏସଡିଆରଏଫ ନିୟମାନୁଯାୟୀ କ୍ଷତିଗ୍ରସ୍ତଙ୍କୁ ଲୁଗାପଟା ଓ ବାସନକୁସନ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।