ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ: ବିଜେଡି ଶିବିରରେ ଉତ୍ସାହ

ହିଞ୍ଜିଳିକାଟୁ/ଶେରଗଡ଼୬।୧୧(ଦ୍ବିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟ ନାରାୟଣ ଦାଶ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଗସ୍ତରେ ଆସିବେ। ବାତ୍ୟା ଅର୍ଣ୍ଣବ ପ୍ରଭାବିତ ବନ୍ୟାଞ୍ଚଳ ପରିଦର୍ଶନ ସହ କ୍ଷତିଗ୍ରସ୍ତ ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।

ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ପ୍ରଥମେ ଶେରଗଡ଼ ମିନି ଷ୍ଟାଡିୟମରେ ଅବତରଣ ପରେ ଶେରଗଡ଼ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ଦେଖିବେ। ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ପହଞ୍ଚି ବୁରୁପଡ଼ା ପଞ୍ଚାୟତର ବନ୍ୟାଞ୍ଚଳ ବୁଲିବା ସହ ଚାଷୀ ଓ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବେ। ପରେ ନବୀନଙ୍କ ଆସିକା ଓ ସୋରଡ଼ା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ନବୀନଙ୍କ ଗସ୍ତ ପରିପ୍ରେକ୍ଷୀରେ ଶୁକ୍ରବାର ଗଞ୍ଜାମ ଏସ୍‌ପି ହରିଶ ବିସି ହିଞ୍ଜିଳିକାଟୁ ଆସି ଅସ୍ଥାୟୀ ହେଲିପ୍ୟାଡ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିସହ ରାଜ୍ୟ ବିଜେଡିର ଏକ ଟିମ୍‌ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ବିକ୍ରମ ପଣ୍ଡା, ଦେବାନନ୍ଦ ମହାପାତ୍ର, ଇପ୍ସିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମର ପ୍ରସ୍ତୁତି ଯାଞ୍ଚ କରିଥିବା ଜଣାପଡିଛି।

ଶେରଗଡ଼ରେ ନବୀନ ପୂର୍ବାହ୍ନ ୧୦ଟାରେ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ହେଲିକପ୍ଟରରୁ ଅବତରଣ କରି ବିରୋଧୀ ଦଳ ନେତା ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିବେ। ତେବେ ତାଙ୍କର ଏହି ଗ୍ରସ୍ତକୁନେଇ ବିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ରାଜ୍ୟସ୍ତରୀୟ ନେତୃବୃନ୍ଦ ଓ ବହୁ ବିଜେଡି ନେତା ଶେରଗଡରେ ଆସି ଡେରା ପକାଇଛନ୍ତି। ଶେରଡ଼ରେ ବିଜେଡିର ଚିନ୍ମୟ ସାହୁ ପ୍ରତାପ ଜେନା, ସୁବାସ ମହାରଣା, ଶେରଗଡ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ବିଧାୟକ ପ୍ରତିନିଧି ଦିଗାମ୍ବର ନାହାକ, ହୃଷିକେଶ ପାଢ଼ୀ, ପ୍ରମୋଦ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିବା ଜଣାପଡିଛି।

Share