ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ ତଳେ ଏକ ଗୁରୁତର ହାର୍ଟ ସର୍ଜରି ହୋଇସାରିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ଲାଗି ନବୀନ ନୂଆଦିଲ୍ଲୀ ଯାଇଛନ୍ତି। ଏନେଇ ନବୀନ ତାଙ୍କ ଦଳୀୟ ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ସୂଚନା ଦେଇଥିଲେ। ସେ ନିର୍ଦ୍ଦିଷ୍ଟ ଭାବେ କେବେ ଓଡ଼ିଶା ଫେରିବେ ସେନେଇ କିଛି ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ନବୀନ ଯେଉଁ ବିମାନରେ ନୂଆଦିଲ୍ଲୀ ଗସ୍ତ କରୁଥିଲେ ତାଙ୍କ ପାଖରେ ଭାଜପା ବରିଷ୍ଠ ନେତା ତଥା ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ବସି ଯାଇଛନ୍ତି। ପୀତାମ୍ବର ତାଙ୍କ କାମରେ ଯାଉଥିବା ବେଳେ ନବୀନଙ୍କ ସହ ଦେଖା ହେଲେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏହାସହ ନବୀନଙ୍କ ସହିତ ଏକ ଫଟୋ ଉଠାଇ ତାହା ମଧ୍ୟ ପୋଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୀତାମ୍ବର ହିଞ୍ଜିଳି ବିଧାନସଭା ଆସନରୁ ନବୀନଙ୍କ ବିରୋଧରେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ସେହି ନିର୍ବାଚନରେ ପୀତାମ୍ବର ପରାଜିତ ହୋଇଥିଲେ। ପୀତାମ୍ବର ନବୀନଙ୍କ ସହ ଫଟୋ ଉଠାଇ ପୋଷ୍ଟକରିବା ପରେ ତାହା ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ଶେୟାର କରିଛନ୍ତି।

 

Dharitri – Odisha’s No.1 Odia Daily

 

Share