ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଉଜୁଡ଼ି ଯାଇଛି ଫସଲ। ଅନେକ ପରିବାର ମୁଣ୍ଡ ଉପରୁ ଛାତ ହରାଇ ଏବେ ବି ଆଶ୍ରୟସ୍ଥଳୀ ଓ ଅନ୍ୟମାନଙ୍କ ଘରେ ଦିନ କାଟୁଛନ୍ତି। ସରକାର ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ ସୁଦ୍ଧା ତାହା ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚିବା ନେଇ ଅନିଶ୍ଚିତତା ଦେଖାଦେଇଛି। ସେହିପରି ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ନିୟମିତ ମିଳୁନଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମର ନିଖୋଜ ୧୩ ଜଣଙ୍କ ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୬ ଦିନ ବିତିଯାଇଥିଲେ ବି ଅନ୍ୟମାନଙ୍କ ପତ୍ତା ମିଳୁନଥିବାରୁ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାରରେ ବିଳମ୍ବକୁ ନେଇ ଅଞ୍ଚଳବାସୀ ଓ ବିରୋଧୀ ଦଳଗୁଡ଼ିକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଘଞ୍ଚ ଜଙ୍ଗଲ, ପାହାଡ଼, ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣେ ଅଧିକାରୀ କହିଛନ୍ତି।
ଏହି ସଙ୍କଟଜନକ ସ୍ଥିତି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ୭ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଗସ୍ତରେ ଆସିବାର ସମ୍ଭାବନା ରହିଛି। ସେ ହେଲିକପ୍ଟର ଯୋଗେ ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ପହଞ୍ଚି ସେଠାରୁ ଶେରଗଡ଼, ଆସିକା ଓ ସୋରଡ଼ାର ତତାବାଲିଠାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିନେ ଦୁଇ ଦିନ ମଧ୍ୟରେ ଏହି ଚୂଡ଼ାନ୍ତ କାର୍ଯ୍ୟକ୍ରମ ସ୍ପଷ୍ଟ ହେବ ବୋଲି ଜିଲ୍ଲାର ଜଣେ ପୂର୍ବତନ ବରିଷ୍ଠ ବିଧାୟକ ସୂଚନା ଦେଇଛନ୍ତି।
ଗକୁ ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ବାତ୍ୟା ଓ ବନ୍ୟା ବିପର୍ଯ୍ୟୟ ବିରୋଧୀ ଦଳଗୁଡ଼ିକୁ ଏକାଠି କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡି ଓ କଂଗ୍ରେସର ଅନେକ ନେତା ଭାଜପା ମୁହାଁ ହୋଇଥିବା ବେଳେ କେତେକ ଦୂରେଇ ରହିଥିଲେ। ଏବେ ସମସ୍ତ ମତଭେଦ ଭୁଲି ବିରୋଧୀ ନେତାମାନେ ଏକାଠି ହୋଇ ଲୋକଙ୍କ ପାଖରେ ପହଞ୍ଚିବା ସହ ରିଲିଫ୍ ବଣ୍ଟନ କରୁଛନ୍ତି। ଅନ୍ୟପଟେ ଶାସକ ଭାଜପାର ନେତା, ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ବିପନ୍ନଙ୍କ ପାଖରେ ଠିଆ ହୋଇ ବିରୋଧୀଙ୍କ ରଣନୀତିକୁ ପ୍ରତିହତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଆଗାମୀ ଦିନରେ ଏହି ରାଜନୈତିକ ସମୀକରଣ କି ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।ଅନ୍ୟପକ୍ଷରେ, କ୍ଷୟକ୍ଷତି ଆକଳନ କରିବା ପାଇଁ ଆସନ୍ତାକାଲି ଏକ ଆନ୍ତଃ-ମନ୍ତ୍ରାଳୟ (Inter-Ministerial) ଟିମ୍ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି।