ଏକାମ୍ର କ୍ଷେତ୍ରର ବିକାଶ ଲାଗି ୧୩ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ୧୦୩ କୋଟି

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଏକାମ୍ର ଅଞ୍ଚଳର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୧୩ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିଲାଗି ୧୦୩ କୋଟି ଟଙ୍କା ବିନିଯୋଗ କରାଯିବ। ସେଥିମଧ୍ୟରେ ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଭୁ ଲିଙ୍ଗରାଜଙ୍କ ଅଞ୍ଚଳକୁ ସୁନ୍ଦର କରି ଗଢ଼ି ତୋଳିବା ଲାଗି ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି। ଏହା ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ୱରର ଗରିମା ଆହୁରି ବୃଦ୍ଧି ପାଇବ। ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍‌ ହୋମ୍‌ ସୁବିଧା ରହିଥିବା ବେଳେ ଏବେ ପୁରୁଣା ଭୁବନେଶ୍ୱରର ଜନସାଧାରଣ ଏହି ସୁବିଧା ମଧ୍ୟ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।