ଭୁବନେଶ୍ୱର,୨୩ା୧୧: ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୋର ବିଦେଶ ଗସ୍ତ ବହୁତ ସୀମିତ, କେବଳ ଓଡ଼ିଶା ସ୍ବାର୍ଥ ପାଇଁ ଯାଇଛି ବୋଲି ସେ କହିଛନ୍ତି ।
ନବୀନ ପଟ୍ଟନାୟକଙ୍କ କହିବା ଅନୁସାରେ, ମୁଁ ଓ ମୋ ଅଫିସରଙ୍କ ବିଦେଶ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଇଛି । ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ । ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିରୋଧୀ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ବିଳମ୍ବ କରିବାର ଆଶଙ୍କା ରହିଛି ବୋଲି କହିଛନ୍ତି ନବୀନ ।
କହିରଖୁଛୁ କି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ ଏବଂ ଆଇପିଏସ୍ ଅଫିସର ରବି କାନ୍ତଙ୍କ ୨୦୨୨-୨୩ ଏବଂ ୨୦୨୩-୨୪ରେ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ ବୋଲି କୁହାଯାଇଥିଲା । କେତେକ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ୱତନ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଏବଂ ରବି କାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ବିଭିନ୍ନ ସୂଚନା ଅଧିକାର(ଆର୍ଟିଆଇ) ଆଇନ ଆଧାରିତ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଏବଂ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୋପନୀୟ ରଖାଯାଇଛି। ତେଣୁ ତଥ୍ୟଗୁଡିକର ତାଳମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହିସବୁକୁ ଦୃଷ୍ଟିରେ ରଖି ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।