ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା ପରେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଶଙ୍ଖ ଭବନରେ ଏକ ବଡ଼ ବୈଠକ ଡକାଯାଇଛି ଯେଉଁଠାରେ ନବୀନ କେବଳ ପରାଜିତ ନେତାମାନଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି।
୨୦୨୪ ସାଧାରଣ ନିର୍ୱାଚନର ପ୍ରାୟ ଦୁଇ ବର୍ଷ ବିଜେଡି ସୁପ୍ରିମୋ ପରାଜିତ ବିଧାୟକ ଓ ଏମପି ପ୍ରାର୍ଥୀମାନଙ୍କୁ ଡାକି ବୈଠକ କରୁଛନ୍ତି। ଯାହାକୁ ନେଇ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ବୈଠକକୁ ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି ଯେ, ନବୀନ ପଟ୍ଟନାୟକ କାହିଁକି ଜିତିଥିବା ବିଧାୟକମାନଙ୍କୁ ନ ଡାକି କେବଳ ପରାଜିତ ପ୍ରାର୍ଥୀମାନଙ୍କୁ ସମୀକ୍ଷା ପାଇଁ ଡାକିଛନ୍ତି? ଏହା ପଛରେ ବିଜେଡି ସୁପ୍ରିମୋଙ୍କର କେଉଁ ସିକ୍ରେଟ ପ୍ଲାନ ରହିଛି?
ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିରୋଧୀ ଆସନରେ ବସିବା ପରେ ବିଜେଡି ତାର ସାଂଗଠନିକ ଢାଞ୍ଚାରେ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛି। ଆଜିର ଏହି ଶଙ୍ଖ ଭବନ ବୈଠକ ପରେ ଦଳ କିଛି ବଡ଼ ନିଷ୍ପତ୍ତି କିମ୍ୱା ନୂଆ କମିଟି ଘୋଷଣା କରିପାରେ।