ଖବରଦାତା ରୋହିତଙ୍କ ପରିବାର ଲାଗି ୧୩ ଲକ୍ଷର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୫।୨(ବ୍ୟୁରୋ): ମାଓବାଦୀଙ୍କ ବିସ୍ଫୋରଣରେ ପ୍ରାଣ ହରାଇଥିବା ଖବରଦାତାଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୁବ ଖବରଦାତା ରୋହିତ ବିଶ୍ୱାଳ(୪୭)ଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦେବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ନେଇ ଶନିବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଖବର ସଂଗ୍ରହ କରିବାକୁ ଯାଇ ଶନିବାର ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଆଖି ବୁଜିଥିଲେ ‘ଧରିତ୍ରୀ’ର ଖବରଦାତା ତଥା ଓଜେୟୁର ସକ୍ରିୟ ସଭ୍ୟ ରୋହିତ। ତାଙ୍କ ଘର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରିରେ। କଳାହାଣ୍ଡି ଜିଲା ମାଓବାଦୀ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। କରଲାଖୁଣ୍ଟାରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ପୋଷ୍ଟରଟି ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍‌ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।