ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସେ ଗତକାଲି ମଧ୍ୟ ନିଜର ମତ ସ୍ପଷ୍ଟ କରିଥିଲେ ଏବଂ ଏବେ ମଧ୍ୟ ସେହି ଦାବିରେ ଅଟଳ ଅଛନ୍ତି।
ନବୀନ କହିଛନ୍ତି ଯେ, ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ କେବଳ ଓଡ଼ିଶାରେ ସୀମିତ ନୁହେଁ, ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବିଜେଡି ମଧ୍ୟ ଓଡ଼ିଶାରେ ଏହି ପ୍ରସଙ୍ଗରେ ଆନ୍ଦୋଳନ କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କେବଳ ଓଡ଼ିଶାର ନୁହେଁ, ସମଗ୍ର ଦେଶର ଲୋକଙ୍କ ଦାବି। ଏପରିକି ବିଦେଶରେ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିବାଦ ଓ ଆନ୍ଦୋଳନ ଦେଖିବାକୁ ମିଳିଥିବା ସେ କହିଛନ୍ତି।
ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଲାଠିଚାର୍ଜ ଓ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନକୁ ନେଇ ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଛାତ୍ରମାନଙ୍କ ପ୍ରତି ପୋଲିସର ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ସେହିପରି ସଂସଦର ବିରୋଧୀ ଦଳର ନେତା ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ପ୍ରତି ମଧ୍ୟ ପୋଲିସର ରୁକ୍ଷ ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ମତ ପ୍ରକାଶ କରିଛନ୍ତି। ନବୀନଙ୍କ ଏହି ବୟାନ ପରେ ରାଜ୍ୟରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢ଼ୁଛି।