କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବରେ ସେ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ଆସନରୁ ସେ ପ୍ରଥମଥର ଭାବେ ତାଙ୍କର ନାମାଙ୍କନ ଭରିଛନ୍ତି। ଏହି ସମୟରେ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ଏମ୍‌ପି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥିନୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନବୀନ ହିଞ୍ଜିଳିରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଏହି ଆସନରୁ ସେ ଷଷ୍ଠଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୦୦ରୁ ନବୀନ ହିଞ୍ଜିଳି ବିଧାୟକ ରହି ଆସିଛନ୍ତି। ହିଞ୍ଜିଳିରୁ ତାଙ୍କ ବିପକ୍ଷରେ ଭାଜପାରୁ ଶିଶିର ମିଶ୍ର ଓ କଂଗ୍ରେସରୁ ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ମେ’ ୨୦ରେ ହିଞ୍ଜିଳିରେ ମତଦାନ ହେବ।