ଜି୨୦ ସର୍ବଦଳୀୟ ବୈଠକରେ ନବୀନ

ନୂଆଦିଲ୍ଲୀ,୬।୧୨:ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଣନୀତି ପ୍ରସ୍ତୁତି ସର୍ବଦଳୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ଭାରତ ୨୦ ରାଷ୍ଟ୍ରସମୂହକୁ ନେଇ ଗଠିତ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ରଣନୀତି ପ୍ରସ୍ତୁତି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜି୨୦ ଲୋଗୋକୁ ନେଇ ଆପତ୍ତି ଉଠାଇଛନ୍ତି। ଲୋଗୋରେ ଥିବା ‘ପଦ୍ମ’ ଭାଜପାର ନିର୍ବାଚନୀ ଚିହ୍ନ ହୋଇଥିବାରୁ ଏହାକୁ ହଟାଇ ଭିନ୍ନ ଏକ ଜାତୀୟ ପ୍ରତୀକ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ବୈଠକରେ ଯୋଗଦେଇଥିବା ଅନ୍ୟ ମୁଖ୍ୟମନ୍ତ୍ରୀମାନେ ହେଲେ ପ୍ରେମ୍‌ ସିଂ ତମାଙ୍ଗ(ସିକିମ), ଏକନାଥ ଶିନ୍ଦେ (ମହାରାଷ୍ଟ୍ର), ଅରବିନ୍ଦ କେଜ୍‌ରିଓ୍ବାଲ(ଦିଲ୍ଲୀ), ଜଗନମୋହନ ରେଡ୍ଡୀ(ଆନ୍ଧ୍ରପ୍ରଦେଶ), ଏମ୍‌.କେ. ଷ୍ଟାଲିନ(ତାମିଲନାଡୁ)। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ା, ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା, ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ। ଚଳିତ ମାସରୁ ଭାରତ ଆନୁଷ୍ଠାନିକ ଭାବେ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିଥିବାବେଳେ ବର୍ଷକ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରସ୍ତୁତି ବୈଠକ କରିବାକୁ ଯୋଜନା ରହିଛି। ଆସନ୍ତାବର୍ଷ ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ଜି୨୦ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଜି୨୦ ରାଷ୍ଟ୍ରଗୋଷ୍ଠୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ସଂଘ ସଦସ୍ୟ ଅଛନ୍ତି।

Share