ମିସେସ୍‌ ୱାଲର୍‌ଡ ପ୍ରତିଯୋଗିତାରେ ରାଜଗାଙ୍ଗପୁରର ନବଦୀପ

ରାଜଗାଙ୍ଗପୁର, ୨୯ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ବୋହୂ ନବଦୀପ କୌର (୩୨) ମିସେସ୍‌ ଓ୍ବାଲର୍‌ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁୟାରୀ ୯ରେ ଆମେରିକାର ଲାସ୍‌ଭେଗାସଠାରେ ଏହି ପ୍ରତିଯୋଗିତା ହେବ। ସେ ଏଥିରେ ଭାରତ ପକ୍ଷରୁ ଭାଗ ନେବାକୁ ଯାଉଛନ୍ତି। ନବଦୀପ ୨୦୨୧ରେ ମିସେସ୍‌ ଇଣ୍ଡିଆ ଓ୍ବାଲର୍‌ଡ ମୁକୁଟ ବିଜୟିନୀ ହୋଇଥିଲେ। ଏହି ସଫଳତା ପରେ ସେ ଆଗକୁ ବଢ଼ିବାକୁ ମନ ବଳାଇ ଉଦ୍ୟମ ଜାରି ରଖିଥିଲେ। ଏହି ପ୍ରତିଯୋଗିତାରେ ୬୦ରୁ ଊର୍ଦ୍ଧ୍ୱ ଦେଶର ପ୍ରତିଯୋଗୀ ଭାଗ ନେବେ। ଆସନ୍ତା ୯ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ଚାଲିବ। ଜାନୁୟାରୀ ୧୫ରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ତେବେ ଏହି ଖବର ପ୍ରଚାରିତ ହେବା ପରେ ରାଜଗାଙ୍ଗପୁର ସମେତ ସମଗ୍ର ଜିଲାରେ ଖୁସିର ଲହରି ଖେଳିଯାଇଛି।
ନବଦୀପଙ୍କ ଘର ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂସବାହାଲ ବିଲେଇଗଡ଼ରେ। ସେ ହେଉଛନ୍ତି, କମଲଦୀପ ସିଂଙ୍କ ସ୍ତ୍ରୀ ଏବଂ ସ୍ବର୍ଗତ ସୁଖବୀର ସିଂ ଓ ହରଶରଣ କୌରଙ୍କ ବୋହୂ। www. misses world.com ୱେବ୍‌ସାଇଟ୍‌କୁ ଯାଇ delegatesରେ India ବାହାର କରି ତାଙ୍କ ଫଟୋରେ ଭୋଟ ଦେବା ପାଇଁ ସେ ଅନୁରୋଧ କରିଛନ୍ତି।