ସ୍ବାଭାବିକ ହେଉଛି ଯୋଡ଼ା ସହର

ଯୋଡ଼ା,୧୬।୪(ଡି.ଏନ.ଏ.) ରାମଝଣ୍ଡା ସ୍ଥାପନକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା କେନ୍ଦୁଝର ଜିଲା ଯୋଡ଼ା ସହର ଧିରେ ଧିରେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି। ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିତ୍ବା ୧୪୪ ସାମୟିକ କୋହଳ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର କିଣାବିକା ପାଇଁ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିଲା। ତେବେ ଶନିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ସମ୍ପୂର୍ଣ୍ଣ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ପରିସ୍ଥିତି ଦେଖି ଶନିବାର ପୁଣି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ କହିଛନ୍ତି। ସହରରୁ ସମ୍ପୂର୍ଣ୍ଣ ୧୪୪ଧାରା କୋହଳ ଉପରେ ସୋମବାର ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ୧୪୪ ଧାରା କୋହଳ ହେବା ପରେ ବଜାରରେ ଛୋଟ ବଡ଼ ବ୍ୟବସାୟୀମାନେ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ତତ୍ପରତା ଏବଂ କେନ୍ଦୁଝର ଏସ୍‌ପିଙ୍କ ତ୍ୱରିତ ପଦକ୍ଷେପ ଯୋଗୁୁ ସହରରେ ସ୍ଥିତାବସ୍ଥା ପୁନର୍ବାର ଫେରି ଆସିଥିଲେ ହେଁ ପ୍ରଶାସନ ଏଥିପ୍ରତି ତୀକ୍ଷ୍‌ଣ ନଜର ରଖିଛି। ଲୋକେ ଘରୁ ବାହାରି ଅତ୍ୟାବଶ୍ୟକ ଜିନିଷ କିଣାକିଣି କରୁଛନ୍ତି। ଅନ୍ୟପକ୍ଷରେ ଶାନ୍ତି ବଜାୟ ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ବନ୍ଦ ଥିବା ଇଣ୍ଟରନେଟ ସେବାକୁ ସକ୍ରିୟ କରଯାଇଛି। ୨ ଦିନ ଇଣ୍ଟରନେଟ ସେବା ବନ୍ଦ ରହିବା ଫଳରେ ଖଣିଜ ପରିବହନରେ ବ୍ୟବହାର ହେଉଥିବା ଆଇ ଥ୍ରୀ ଏମ୍‌ଏସ୍‌ ପ୍ରଯୁକ୍ତି ବିଦ୍ୟା ଅଚଳ ହୋଇପଡ଼ିଥିଲା। ଫଳରେ ଖଣିଜ ପରିବହନରେ ଘୋର ଅସୁବିଧା ସୃଷ୍ଟି ହୋଇଥିଲା। ଏହାଦ୍ବାରା ଯୋଡ଼ା ଖଣି ମଣ୍ଡଳରେ ବ୍ୟାପକ ରାଜସ୍ବହାନି ହୋଇଥିଲା। ସେହିପରି ବ୍ୟାଙ୍କ ବନ୍ଦ ରହିବା ଯୋଗୁ ଟଙ୍କା ନେଣ ଦେଣରେ ମଧ୍ୟ ବ୍ୟାପକ ଅସୁବିଧା ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ରାମନବମୀ ଦିନ ରାମଝଣ୍ଡା ସ୍ଥାପନକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ସହରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।